ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ ଅଧୀନ କଂସର ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଖବର ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ କଂସର ଭୁକ୍ତାପଡା ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ କଂସର ଜଙ୍ଗଲରୁ ଏକ ଶାଳଗଛ କାଟୁଥିଲେ। ଏହାଦେଖି ଜଙ୍ଗଲ ଜଗୁଆଳିମାନେ କଟାଯାଇଥିବା ଗଛସହ ତାଙ୍କୁ କଂସର ସେକ୍ସନ କାର୍ଯ୍ୟାଳୟକୁ ଆଣିଥିଲେ। ୨୨ ତାରିଖ ସକାଳେ ଫରେଷ୍ଟର ମିଶ୍ର ଅରୁଣଙ୍କ ଘରକୁ ଯାଇ ତଲାସୀ କରିବା ସମୟରେ ୨ଟି ଲଙ୍ଗଳ ଓ ୪ଗୋଟି ଖଟପୁଆ ଜବତ କରିଥିଲେ। ହେଲେ ଏହି ମାମଲା ରଫାଦଫା କରିବା ପାଇଁ ସେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ଜେଲ ହାଜତକୁ ପଠାଇ ଦେବାକୁ ଅରୁଣଙ୍କୁ ଧମକ ଦେଇଥିଲେ। ଅରୁଣ ଏକକାଳୀନ ଏତେ ଟଙ୍କା ଦେଇପାରିବ ନାହିଁ କରିବାରୁ ଶେଷରେ ୨ଟି ପର୍ଯ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କହିଥିଲେ। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ପୂର୍ବରୁ ଅରୁଣ ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ଫରେଷ୍ଟର ମିଶ୍ରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁଯାୟୀ ଭିଲିଲାନ୍ସ ଡିଏସ୍‌ପି ପରମେଶ୍ୱର କିସାନ ଫରେଷ୍ଟରଙ୍କୁ ଧରିବା ନିମନ୍ତେ ଜାଲ ବିଛାଇବା ସହ ଅରୁଣ ହାତରେ ୬ଟି ୫ଶହ ଟଙ୍କିଆ ରଙ୍ଗବୋଳା ନୋଟ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅରୁଣ ଏହି ଟଙ୍କା ଫରେଷ୍ଟର ମିଶ୍ରଙ୍କୁ ଦେବାରୁ ସେ ଏହାକୁ ଟେବୁଲ ଉପରେ ରଖି ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଟଙ୍କା ଜବତ କରିବା ସହ ଫରେଷ୍ଟର ମିଶ୍ରଙ୍କୁ ଗିରଫ କରି ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ଚଢାଉରେ ଦେବଗଡ ଭିଜିଲାନ୍ସ ଇନ୍ସପେକ୍ଟର ସୁଧିର କୁମାର ସାହୁ, ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର କର୍ଣ୍ଣେଲିୟସ ବିଲୁଙ୍ଗ, ଏଏସ୍‌ଆଇ ବିଜୟ କୁମାର ପ୍ରଧାନ ସାମିଲ ହୋଇଥିଲେ। ବୁଧବାର ତାଙ୍କୁ କୋର୍ଟ
ଚାଲାଣ କରାଯିବ ବୋଲି ସୂଚନା ମିଳିଛି।