ମାନିଲେନି ସାମାଜିକ ଦୂରତ୍ୱ: ୫ ଦୋକାନ ସିଲ୍‌, ୨୯ ଗିରଫ

ଭଦ୍ରକ ଅଫିସ,୬ା୪ : ସାମାଜିକ ଦୂରତ୍ୱ କଟକଣା ନିୟମ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ସିଲ୍‌ କରିଛି ଟାଉନ୍‌ ପୋଲିସ। ସହରରେ ସଟ୍‌ଡାଉନ୍‌ କଟକଣା ନିୟମ ରବିବାର ରାତି ୮ଟାରେ ଉଠିଥିଲା। ପୂର୍ବ ପରି ସହରରେ ଲକ୍‌ଡାଉନ୍‌ କଟକଣା ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କୋହଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କୋହଳ ସମୟରେ ମୁଖ୍ୟତଃ ଲୋକମାନେ ଓ ଦୋକାନୀ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ଲୋକମାନେ ସକାଳୁ ନିତ୍ୟ ସାମଗ୍ରୀ କିଣିବା ପାଇଁ ଅହେତୁକ ଭିଡ଼ ଜମାଇଥିଲେ । ଏପରିକି ଦୋକାନୀ କିମ୍ବା ଲୋକ କେହି ବି ସାମାଜିକ ଦୂରତ୍ୱ କଟକଣାକୁ ମାନି ନ ଥିଲେ। ଫଳରେ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଦୋକାନକୁ ସିଲ କରିଛି ପ୍ରଶାସନ ଓ ପୋଲିସ । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀ ଦୋକାନୀ ଓ ଆଉ କିଛି ଅମାନିଆଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ୨୯ ଜଣ ଗିରଫ ହୋଇଥିବା ବେଳେ ୫ ଦୋକାନ ସିଲ୍‌ କରାଯାଇଥିବା ଜଣାପଡ଼ିଛି।