Categories: ଜାତୀୟ

ମାନବାଧିକାର ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୦ା୭: ଲୋକ ସଭାରେ ଶୁକ୍ରବାର ମାନବାଧିକାର ସୁରକ୍ଷା ସଂଶୋଧନ ବିଲ୍‌ ଗୃହୀତ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମାନବାଧିକାର ସୁରକ୍ଷା (ସଂଶୋଧନ) ବିଲ୍‌, ୨୦୧୯ ଉପରେ ଆଲୋଚନା ଆରମ୍ଭ କରି ଏହା ବର୍ତ୍ତମାନର ଆଇନ ଅପେକ୍ଷା ଜନସାଧାରଣଙ୍କ ଅଧିକାରର ସୁରକ୍ଷାରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି କହିଥିଲେ। ସଂଶୋଧିତ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଜାତୀୟ ଓ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷରୁ ୩ ବର୍ଷକୁ ହ୍ରାସ କରାଯିବ। ପୂର୍ବତନ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଧ୍ୟ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ହୋଇପାରିବେ। ସେହିପରି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ହୋଇପାରିବେ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି। ଉକ୍ତ ସଂସ୍ଥାକୁ ଅଧିକ ପ୍ରଶାସନିକ ଓ ଆର୍ଥତ୍କ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଥିଲେ, ସଶସ୍ତ୍ର ବଳ ବିରୋଧରେ ବହୁ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆସୁଛି। ଏନ୍‌ଏଚ୍‌ଆର୍‌ସି ସେଗୁଡ଼ିକର ତଦନ୍ତ କରିବା ଆବଶ୍ୟକ। ବିନା ଆଇନଗତ ପ୍ରକ୍ରିୟାରେ ହତ୍ୟା, ତାହା ପୋଲିସ ଦ୍ୱାରା ହେଉ କି ସେନା ବା ଅର୍ଦ୍ଧସାମରିକ ବାହିନୀର ଯବାନ, ସେଥିରେ କିଛି ପାର୍ଥକ୍ୟ ନାହିଁ। ତେବେ ସଶସ୍ତ୍ର ବଳକୁ ମାନବାଧିକାର କମିଶନଙ୍କ ପ୍ରତ୍ୟକ୍ଷ ତଦନ୍ତରୁ ବାଦ୍‌ ଦେବା ଠିକ୍‌ ନୁହେଁ। ମାମଲାର ତୁରନ୍ତ ବିଚାର ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି ପାଇବା ଜରୁରୀ ବୋଲି ପିନାକୀ କହିଥିଲେ।

Share