ମାଧପୁରରେ ମାଟ୍ରିକ ପରୀକ୍ଷା ଦେଲେ ୫୩୯ ଛାତ୍ରୀଛାତ୍ର

ମାଧପୁର,୧୯।୨(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହିକ୍ରମରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଚୌରାଶୀ ଅଞ୍ଚଳର ତିନୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୩୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି । ମାଧପୁର ପରୀକ୍ଷା କେନ୍ଦ୍ରରେ ୨୨୪ ଜଣ ପରୀକ୍ଷା ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ଭାବରେ ସହକାରୀ ଯୋଗାଣ ଅଧିକାରୀ ଦାଶରଥୀ ସୋରେନ ଯୋଗଦେଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। କେନ୍ଦ୍ର ପରିଚାଳକ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସେହିପରି ମାନତ୍ରୀ ପରୀକ୍ଷା କେନ୍ଦ୍ରରେ ୧୯୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ପ୍ରଗତି ସହାୟକ ବିଜୟ ନାୟକ ଯୋଗଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନ ବିହାରୀ ସାହୁ କେନ୍ଦ୍ର ପରିଚାଳକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। କିଆକଟା ପରୀକ୍ଷା କେନ୍ଦ୍ରରେ ୧୨୫ଜଣ ପରୀକ୍ଷା ଦେଇଥିଲେ। ପର୍ଯ୍ୟବେକ୍ଷକ ଭାବରେ ମଧ୍ୟମ ଜଳସେଚନ ବିଭାଗର ନିିର୍ବାହୀ ଯନ୍ତ୍ରୀ ସୁଧାକର ପଟ୍ଟନାୟକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତ କୁମାର ମୁଦୁଲି କେନ୍ଦ୍ର ପରିଚାଳକ ଭାବେ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଆଠମଲ୍ଲିକ ଉପଜିଲାପାଳ ମାଧପୁର ଏବଂ ମାନତ୍ରୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଆଠମଲ୍ଲିକ ବିଡିଓ ଏବଂ ତହସିଲଦାର କିଆକଟା କେନ୍ଦ୍ର ପରିଦର୍ଶନ କରିଥିଲେ।