Categories: ଜାତୀୟ

ମାଦି ଶର୍ମା କିଏ

ନୂଆଦିଲ୍ଲୀ,୩୧ା୧୦: ଇୟୁ ପ୍ରତିନିଧି ଦଳ ପାଇଁ କଶ୍ମୀର ଗସ୍ତର ଆୟୋଜିକା ମାଦି ଶର୍ମାଙ୍କୁ ନେଇ ବିବାଦ ଉଠିଛି। ମାଦି ତାଙ୍କ ଟୁଇଟର ଆକାଉଣ୍ଟରେ ନିଜକୁ ଜଣେ ‘ସୋସିଆଲ କ୍ୟାପିଟାଲିଷ୍ଟ: ଅନ୍ତର୍ଜାତୀୟ ବିଜିନେସ୍‌ ବ୍ରୋକର, ଶିକ୍ଷା ଉଦ୍ୟୋକ୍ତା ତଥା ବକ୍ତା’ ବୋଲି ଦର୍ଶାଇଛନ୍ତି।
ଦଳକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ନିମନ୍ତ୍ରଣ କରିନାହିଁ କି କଶ୍ମୀରକୁ ଏହା ଏକ ଔପଚାରିକ ଗସ୍ତ ନୁହେଁ। ଓମେନ୍ସ ଇକୋନୋମିକ୍‌ ଆଣ୍ଡ ସୋସିଆଲ ଥିଙ୍କଟ୍ୟାଙ୍କ୍‌ (ଡବ୍ଲ୍ୟୁଇଏସ୍‌ଟିଟି) ପକ୍ଷରୁ ସେମାନଙ୍କୁ ମାଦି ନିମନ୍ତ୍ରଣପତ୍ର ପଠାଇଥିଲେ। ଭାରତୀୟ ବଂଶୋଦ୍ଭବ ତଥା ବ୍ରସେଲ୍ସରେ ରହୁଥିବା ମାଦି ହେଉଛନ୍ତି ଏହି ଏନ୍‌ଜିଓର ମୁଖ୍ୟ। ସେ ମାଦି ଗ୍ରୁପ୍‌ ନାମରେ ଏକ ସଂସ୍ଥା ଚଳାଉଛନ୍ତି, ଯାହାର ଏକ ଅଂଶ ହେଉଛି ଏହି ଥିଙ୍କଟ୍ୟାଙ୍କ୍‌। ମାଦି ୩୦ ଏମ୍‌ପିଙ୍କୁ ନିମନ୍ତ୍ରଣପତ୍ର ପଠାଇଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସମ୍ମାନଜନକ ଭିଆଇପି ମିଟିଂ ପରେ ଜମ୍ମୁ-କଶ୍ମୀର ଯିବା ପାଇଁ ବ୍ୟବସ୍ଥା କରିବେ ବୋଲି ଉଲ୍ଲେଖ କରିଥିଲେ। ବ୍ରିଟେନର ଲିବରାଲ ଡେମୋକ୍ରାଟ ପାର୍ଟି ନେତା କ୍ରିସ୍‌ ଡେଭିସ୍‌ ଏହି ଗସ୍ତକୁ ଏକ ପିଆର୍‌ ଷ୍ଟଣ୍ଟ ବୋଲି ସମାଲୋଚନା କରିବା ସହ ଇ-ମେଲ୍‌ରୁ ଉକ୍ତ ନିମନ୍ତ୍ରଣପତ୍ରର ସ୍କ୍ରିନ୍‌ଶଟ୍‌ ଜାରି କରିଛନ୍ତି। ଯେଉଁ ୪ ପ୍ରତିନିଧିଙ୍କୁ କଶ୍ମୀର ଯିବା ପାଇଁ ଅନୁମତି ଦିଆଯାଇନାହିଁ ସେମାନଙ୍କ ମଧ୍ୟରେ କ୍ରିସ୍‌ ରହିଛନ୍ତି।

Share