Categories: ଜାତୀୟ

ମାତ୍ର ୧୨୦ ଭାରତୀୟ ଯବାନଙ୍କ ଦ୍ୱାରା ୧୩୦୦ ଚାଇନା ସୈନ୍ୟ ହୋଇଥିଲେ ନିହତ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ଯୋଗୁ ଭାରତ ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଚାଇନା ୧୯୬୨ର ଇତିହାସକୁ ଏବେ ବି ଭୁଲିନି। ନଭେମ୍ବର ୧୮ ତାରିଖ ଦୀପାବଳି ଦିନ ଲଦାଖର ଚୁଶୁଲ ଘାଟିରେ ୧୩୦୦ ଚାଇନା ସୈନ୍ୟ ଭାରତୀୟ ଯବାନଙ୍କ ଦ୍ୱାରା ନିହତ ହୋଇଥିଲେ। ୫ରୁ ୬ ହଜାର ଚାଇନା ସୈନ୍ୟ ଘାଟି ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସେତେବେଳେ ଘାଟିର ନେତୃତ୍ୱ ମେଜର ଶୈତାନ ସିଂ ନେଉଥିଲେ। ତାଙ୍କ ପାଖରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଥିଲେ। ଏତେ ସଂଖ୍ୟକ ଚାଇନା ସୈନ୍ୟଙ୍କୁ ଦେଖି ମେଜର ନ ଡ଼ରି କଡ଼ା ମୁକାବିଲା କରିଥିଲେ। ମେଜରଙ୍କ ଦେହରେ ଏକାଧିକ ଗୁଳି ଲାଗିଥିଲେ ମଧ୍ୟ ସେ ସାଥି ଯବାନଙ୍କୁ ଉତ୍ସାହିତ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ୨ ସାଥି ଯବାନ ସୁରକ୍ଷିତ ସ୍ଥାନକୁ ଆଣୁଥିବାବେଳେ ଚାଇନା ସୈନ୍ୟ ମେସିନ ଗନ୍‌ରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଶୈତାନ ସିଂ ସାଥିଙ୍କୁ ପଛକୁ ଠେଲି ନିଜେ ମେସିନ ଗନ୍‌ ଆଗକୁ ଚାଲିଆସିଥିଲେ। ସେଠାରେ ସେ ଶହୀଦ ହୋଇଥିଲେ। ତାଙ୍କ ଦଳର ୧୧୪ ଯବାନ ପ୍ରାଣବଳୀ ଦେଇ ଶହୀଦ ହୋଇଥିଲେ। ପାଖରେ କୌଣସି ଆଧୁନିକ ଯୁଦ୍ଧ ସରଞ୍ଜାମ ନ ଥିଲେ ମଧ୍ୟ ଶୈତାନ ସିଂ ଚାଇନା ସୈନ୍ୟଙ୍କ କଡ଼ା ମୁକାବିଲା କରିଥିଲେ। ଏଭଳି କରି ସେ ରଚିଥିଲେ ଇତିହାସ।

Share