ମାଡ଼ୁଛି ରୋଗ, ଗଡ଼ୁଛି ମୁଣ୍ଡ

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ହେଁ ସ୍ଥିତିରେ ସୁଧାର ଆସିପାରୁ ନାହିଁ। କ୍ରମଶଃ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗୁରୁବାର ଦେଶରେ ପୁଣି ୬୭୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ଯାଛନ୍ତି। ମହାରାଷ୍ଟ୍ରରେ ୯, ଦିଲ୍ଲୀରେ ୩, ମଧ୍ୟପ୍ରଦେଶରେ ୨, ଗୁଜରାଟ, କର୍ନାଟକ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏଥିସହ ଇତିମଧ୍ୟରେ ଭାରତରେ ମୃତ୍ୟୁସଂଖ୍ୟା ୧୯୯କୁ ବୃଦ୍ଧିପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୮୮ରେ ପହଞ୍ଚିଛି। ଦେଶବ୍ୟାପୀ ମୋଟ ୫୯୮ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିଲେ ହେଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଗୋଟିଏ ଦିନରେ ଏଠାରେ ୨୧୧ ପଜିଟିଭ ମାମଲା ଦେଖିବାକୁ ମିଳିଛି। ଏବେସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୮୧ ରହିଥିବା ବେଳେ ରୋଗୀସଂଖ୍ୟା ୧,୩୪୬ରେ ପହଞ୍ଚିଛି। ତାମିଲନାଡ଼ୁରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ ରହିଛି। ରାଜଧାନୀ ଦିଲ୍ଲୀରେ ୧୨ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦କୁ ବଢ଼ିଛି। ଏହାଛଡ଼ା ତେଲଙ୍ଗାନାରେ ୪୭୧, ରାଜସ୍ଥାନରେ ୪୩୦, ଉତ୍ତରପ୍ରଦେଶରେ ୩୬୧, ଆନ୍ଧ୍ରପ୍ରଦେଶରେ ୩୪୮, ମଧ୍ୟପ୍ରଦେଶରେ ୩୯୧, କେରଳରେ ୩୫୭, ଗୁଜରାଟରେ ୨୬୨, କର୍ନାଟକରେ ୧୯୭, ଜମ୍ମୁ-କଶ୍ମୀରରେ ୧୮୪, ପଞ୍ଜାବରେ ୧୩୦ କରୋନା ରୋଗୀ ଅଛନ୍ତି। ଲକ୍‌ଡାଉନ୍‌ ସତ୍ତ୍ୱେ ବିଗିଡ଼ିବାରେ ଲାଗିଛି ଭାରତରେ କରୋନା ସଂକ୍ରମଣର ସ୍ଥିତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା ଲାଗି ପରାମର୍ଶ ଦେଇଛନ୍ତି ସରକାର।

Share