ମାଛ ବଜାର ଭିଡ କମାଇବାକୁ ମାର୍କିଂ କଲା ପୋଲିସ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ଦିନିଆ ଲକ୍‌ ଡାଉନ୍‌ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲା ଓ ସହରରେ ଏହି ଲକ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏହି ସମୟରେ ନିତ୍ୟ ଆବଶ୍ୟକ ସାମଗ୍ରୀ, ଖାଦ୍ୟ, ପନିପରିବା କିଣିବା ପାଇଁ ପ୍ରଶାସନ ପକ୍ଷରୁ ସକାଳ ୭ରୁ ୧୦ ଓ ଅପରାହ୍ଣ ୩ରୁ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି । ଦିନକୁ ଦିନ ପରିପରିବା ଅଭାବ ଓ ମୂଲ୍ୟ ବୃଦ୍ଧି ଘଟୁଥିବାରୁ ତଥା କରୋନା ସଂକ୍ରମଣରେ ମାଛ, ମାଂସ, ଅଣ୍ଡା ଖାଇବା ଉପରେ କୌଣସି ପ୍ରତିବନ୍ଧକ ନଥିବା ଘୋଷଣା ପରେ ଆମିଷ ଖାଦ୍ୟ ପ୍ରତି ଲୋକଙ୍କ ଆଦର ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହି କାରଣରୁ ସକାଳ ୭ଟାରୁ ମାଂସ, ମାଛ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । କରୋନା ସଂକ୍ରମଣରେ ଭିଡି ହିଁ ବିପଦ ବୋଲି କୁହାଯାଉଥିଲେ ମଧ୍ୟ ଲୋକେ କାହାରି କଥା ଶୁଣୁ ନାହାନ୍ତି । ମାଛ, ମାଂସ ସରିଯିବ ବୋଲି ଭିଡ ଭିତରେ ଟଣାଉଟରା ହେଉଛନ୍ତି । ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି । ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ବଲାଙ୍ଗୀର ଟାଉନ୍‌ ପୋଲିସ ସ୍ଥାନୀୟ ରୁଗୁଡିପଡା ମାଛ ବଜାର, ଡେଲିମାର୍କେଟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚୂନ ପକାଇ ମାର୍କିଂ କରିଛି । ଏହି ମାର୍କିଂ ଭିତରେ ରହି ଲୋକେ ମାଛ ଓ ମାଂସ କିଣି ପାରିବେ ବୋଲି ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଲୋକଙ୍କୁ ସୂଚନା ଦେଇଛନ୍ତି । ଏହାର ଖିଲାପ କରାଗଲେ ଉଭୟ ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି ।