ମାଛଧରା ହେଲା କାଳ: ପୋଖରୀରେ ବୁଡ଼ି ଜଣଙ୍କ ଜୀବନଗଲା

ସୋର,୧୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ବେହେରା(୫୨)। ରବୀନ୍ଦ୍ର ନିଜ ଘର ପଛପଟେ ଥିବା ଏକ ପୋଖରୀକୁ ସକାଳେ ମାଛ ଧରିବାକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇ ନ ଥିଲେ। ପରେ ଗ୍ରାମବାସୀ ଜାଲପକାଇ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସୋର ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି।