ମାଗଣାରେ ଜମି ନେଇଛ, ଚିକିତ୍ସା ପାଇଁ ଟଙ୍କା ମାଗୁଛ

ନୂଆଦିଲ୍ଲୀ,୨୮ା୫(ପି.ଟି.): ସରକାରଙ୍କଠାରୁ ମାଗଣାରେ ଜମି ନେଇ ପ୍ରତିଷ୍ଠା କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କୁ କାହିଁକି ମାଗଣାରେ ଚିକିତ୍ସା କରାଯିବ ନାହିଁ। ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି।
ସାରା ଦେଶରେ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶନାମା ଜରି କରିବା ଲାଗି ଏକ ପିଟିଶନ ଦାଏର ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଓ ହୃଷୀକେଶ ରୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଇନଜୀବୀ ସଚିନ ଜୈନ ଦାଏର କରିଥିବା ଉକ୍ତ ଆବେଦନର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦେଶରେ ଏମିତି ଅନେକ ଘରୋଇ ହସ୍ପିଟାଲ ରହିଛି, ଯାହା ସରକାରଙ୍କଠାରୁ ମାଗଣାରେ କିମ୍ବା ଅତି କମ୍‌ ମୂଲ୍ୟରେ ମିଳିଥିବା ଜମିରେ ନିର୍ମିତ ହୋଇଛି। ସେହି ହସ୍ପିଟାଲଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ଚିକିତ୍ସା ମାଗଣାରେ କରାଯିବା ଉଚିତ। ଏଭଳି ହସ୍ପିଟାଲଗୁଡ଼ିକୁ କେନ୍ଦ୍ର ସରକାର ଚିହ୍ନଟ କରନ୍ତୁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ସପ୍ତାହେ ପରେ କରିବାକୁ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, ଏହା ଏକ ନୀତି ସମ୍ପର୍କିତ ପ୍ରସଙ୍ଗ ହୋଇଥିବାରୁ ଏନେଇ ସରକାର ନିଷ୍ପତ୍ତି ନେବେ। ତେବେ ଏ ସମ୍ପର୍କରେ ସେ ଜବାବ ରଖିବେ। ଆବେଦନକାରୀଙ୍କ ପିଟିଶନ ଉପରେ ଜବାବ ରଖିବା ପାଇଁ ଏପ୍ରିଲ ୩୦ରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଘରୋଇ ହସ୍ପିଟାଲଗୁଡ଼ିକ କରୋନା ସଂକ୍ରମିତ ରୋଗୀଙ୍କୁ ବ୍ୟବସାୟିକ ଶୋଷଣ କରୁଛନ୍ତି ବୋଲି ଆଇନଜୀବୀ ସଚିନ ଜୈନ ଏଥିରେ ଉଲ୍ଲେଖ କରିଥିଲେ।

Share