ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ କୋମ୍ବିଂ ଅପରେଶନ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲାରୁ ଭୁବନେଶ୍ୱର, ବଲାଙ୍ଗୀର, କଟକ, ସମ୍ବଲପୁର, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ଭଞ୍ଜନଗର, ବିଶାଖାପାଟଣା, ବିଜୟନଗରମ୍‌ ଆଦି ସ୍ଥାନକୁ ଯାଉଥିବା ସରକାରୀ ବସ୍‌ଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିର ପିଏଲ୍‌ଜିଏ ସପ୍ତାହ ପ୍ରଥମ ଦିନରେ ମାଓବାଦୀଙ୍କ ପକ୍ଷରୁ ଜିଲାରେ କୌଣସି କିଛି ଅଘଟଣ ବର୍ତ୍ତମାନ ସୁଦ୍ଧା ଘଟି ନ ଥିବା ଜଣାପଡ଼ିଛି। ଏଥିସହ ସୀମାନ୍ତ ଛତିଶଗଡ଼ ଏବଂ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ବୋଲି ଏସ୍‌.ପି. ହୃଷୀକେଶ ଡି. ଖିଲାରୀ ପ୍ରକାଶ କରିଛନ୍ତି।