ମହେଶ ଓ ଅବନୀକାନ୍ତଙ୍କୁ ଡକ୍ଟରେଟ ଉପାଧି

ଅନୁଗୋଳ ଅଫିସ, ୧୩।୯-ବଲ୍‌ସ ବ୍ରିଜ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଦିଲ୍ଲୀର ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ ହାବିଟାଟ୍‌ ସେଣ୍ଟରରେ ଗତ ୮ ତାରିଖରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଶିକ୍ଷାବିତ୍‌ ତଥା ଅନୁଗୋଳସ୍ଥିତ ଆଦର୍ଶ ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳଙ୍କୁ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି। ସେହିପରି ଅନୁଗୋଳ ଆଦର୍ଶ କଲେଜ ଅଫ୍‌ ଇଞ୍ଜିନିୟରିଂର ପ୍ରଶାସନିକ ଅଧିକାରୀ ଅବନୀକାନ୍ତ ଷଡ଼ଙ୍ଗୀଙ୍କୁ ମଧ୍ୟ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି। ଡ. ଧଳଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦର୍ଶ ଇଞ୍ଜିନିୟରିଂ ସ୍କୁଲ ଓ କଲେଜ ବୈଷୟିକ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଉଚ୍ଚ ପ୍ରଶଂସିତ ହୋଇଛି। ଶିକ୍ଷା କ୍ଷେତ୍ରରେ ସମର୍ପିତ ଓ ଉତ୍ସର୍ଗୀକୃତ ମାନସିକତା ଡ. ଧଳଙ୍କୁ ଏହି ସମ୍ମାନର ଅଧିକାରୀ କରିପାରିଛି। ଡକ୍ଟରେଟ ପାଇଥିବା ଧଳ ଓ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଧଳ, ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ସିଂହ, ଲୋକ ସମ୍ପର୍କ ଅଧିକାରୀ ବଂଶୀଧର ମିଶ୍ରଙ୍କ ସମେତ ଅନୁଷ୍ଠାନର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରମାନେ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବରେ ଅନୁଷ୍ଠାନର ତାଲିମ୍‌ ଓ ନିଯୁକ୍ତି ନିର୍ଦ୍ଦେଶକ ଡ. ଧରଣୀଧର ନାଥ ଉପସ୍ଥିତ ଥିଲେ।