ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍‌’ରୁ ଓଲିଉଡ୍‌ର ନବାଗତ ତାଲିକାରେ ନିଜର ନାମ ଏଣ୍ଟ୍ରି କରିବାକୁ ଯାଉଥିବା ବିଶ୍ୱରୂପ ମିଶ୍ର।

ମୋର ପ୍ରଥମ ସିନେମାର ଟାଇଟଲ ଗୀତର ଶୁଟିଂ ଫୁଲବାଣୀରେ ହେଉଥାଏ। ସେଥିପାଇଁ ପାହାଡ ଉପରେ ସବୁପ୍ରକାର ବ୍ୟବସ୍ଥା ହୋଇ ସାରିଥାଏ। ସିକୁଏନ୍ସ ଅନୁସାରେ ସ୍ପଟ ବୟ ଧୂଅଁା ଲଗାଇଲେ। ହେଲେ ବିଡମ୍ବନା। ପାହାଡର ଗୋଟିଏ କୋଣରେ ମହୁମାଛି ବସା ଅଛି ବୋଲି ଆମେ କେହି ଜାଣି ନ ଥିଲୁ। ଧୂଅଁା ସଂସ୍ପର୍ଶରେ ଆସିବା ମାତ୍ରେ ମହୁମାଛି ଆମ ଆଡକୁ ମାଡି ଆସିଲେ। ଏହା ଦେଖି ୟୁନିଟ୍‌ର କେତେକ ସଦସ୍ୟ ଦୌଡି ପଳାଇଲେ। ହେଲେ କ’ଣ ହୋଇଛି ବୋଲି ବୁଝିବା ପୂର୍ବରୁ ମହୁମାଛିର ଆକ୍ରମଣର ଶିକାର ହେଲି। ମୋ ମୁହଁ,ହାତ ଫୁଲିଗଲା। ଏପରି ଅବସ୍ଥା ହେଲା ଯେ ସୁସ୍ଥ ହେବାକୁ ମୋତେ ଫୁଲବାଣୀ ସରକାରୀ ହସ୍‌ପିଟାଲରେ ଆଡମିଶନ ହେବାକୁ ପଡିଥିଲା। ସୁସ୍ଥ ହେବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହୋଇଥିଲା। ଏ କଥା ଏବେ ମୋର ମନେ ପଡିଲେ ଶିହରଣ ଖେଳିଯାଏ। ଆଉ ଏକ କଥା। ଏହି ଫିଲ୍ମର ଏକ ଗୀତର ଶୁଟିଂ ପାଇଁ ପ୍ରାୟ ପାହାଡ଼ର ୧୮୦୦ ଫୁଟ ତଳକୁ ଯିବାକୁ ପଡିଥିଲା। ଯେହେତୁ ରାସ୍ତା ବହୁତ ଖରାପ ଥିଲା ଏବଂ ଗାଡି ଯିବାର କୌଣସି ସୁବିଧା ନ ଥିଲା ତେଣୁ କ୍ୟାମେରାମ୍ୟାନ, ନିର୍ଦ୍ଦେଶକ ଏବଂ ୟୁନିଟ୍‌ର ସଦସ୍ୟମାନେ ଚାଲି ଚାଲି ସେଠାକୁ ଯାଇ ଶୁଟିଂ କରିଥିଲୁ। ଗୋଟିଏ କଥା, ଏହି ଫିଲ୍ମଟି ଯେହେତୁ ଆକ୍ସନ ଉପରେ ପର୍ଯ୍ୟବସିତ ତେଣୁ ଏଥିରେ ଅନେକ ଏକ୍ସପେରିମେଣ୍ଟ କରାଯାଇଛି।

Share