ମହୁମାଛି ଆକ୍ରମଣରେ ଯୁବକଙ୍କ ପ୍ରାଣଗଲା, ୨ ଗୁରୁତର

କପ୍ତିପଦା,୧୦ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ପଞ୍ଚାୟତ ଅନ୍ତର୍ଗତ ଚେମଚଟା ଗ୍ରାମରେ ମଙ୍ଗଳବାର ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିତ୍ବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇ ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାରେ ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ସେହି ଗ୍ରାମର ସନିଆ ଭକ୍ତା। ଆହତ ରଞ୍ଜନ କଟୁଆଳ ଓ ଆକାଶ ନାଏକ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୧୨/୨୦)ରୁଜୁ କରିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଗ୍ରାମର ୭ ଜଣ ଯୁବକ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମୃତ ସନିଆ, ଆହତ ରଞ୍ଜନ ଏବଂ ଆକାଶ ମହୁ ସଂଗ୍ରହ କରିବାକୁ ଗଛରେ ଚଢିଥିଲେ। ଏହି ସମୟରେ ମହୁମାଛିଗୁଡ଼ିକ ଉଡ଼ି ବୁଲିବା ସହିତ ଗଛରେ ଚଢିଥିବା ଉକ୍ତ ୩ଜଣଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବିଳମ୍ବିତ ରାତିରେ ଉଦଳା ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସନିଆଙ୍କ ମୃତ୍ୟୁ ଘଟିଥିଲା।