ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିବାହ କରିଥିବା ପ୍ରିୟତମା ପ୍ରଧାନ (୨୩)। ମୃତଦେହକୁ ପୋଲିସ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୬/୧୯)ରୁଜୁ କରାଯାଇ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଅନିଲ କୁମାର ଦେବତା କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପ୍ରିୟତମାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ଲାଗି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ପ୍ରିୟତମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଡାକ୍ତର ଥାନାକୁ ଫୋନ କରୁଥିବା ଜାଣିପାରି ପ୍ରିୟତମାଙ୍କୁ ଡାକ୍ତରଖାନା ନେଇଥିବା ବ୍ୟକ୍ତି ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା। ଦାରିଙ୍ଗବାଡ଼ି ପୋଲିସ ବାଲିଗୁଡ଼ାରେ ପହଞ୍ଚି ତଦନ୍ତ କରିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରିୟତମାଙ୍କ ସ୍ବାମୀ ହୋଇଥାଇପାରନ୍ତି ବୋଲି ସନ୍ଦେହ କରି ବାପଘର ଲୋକଙ୍କୁ ଡକାଇ ଘଟଣାର ତଦନ୍ତ କରାଯାଉଥିବା ସବଇନ୍ସିପେକ୍ଟର ଦେବତା କହିଛନ୍ତି।