ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ ସାହୁ (୨୫), ଗଣେଶ ସାହୁ (୨୪)। କେସ୍‌ ନମ୍ବର ୨୪୫/୧୯ରେ ଅଭିଯୁକ୍ତ ଦ୍ୱୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ଦିନେଶ ଜଣେ ଛାତ୍ରୀ ସ୍କୁଲ ଯିବା ବେଳେ ତାଙ୍କୁ କମେଣ୍ଟ ମାରୁଥିଲେ। ଶନିବାର ଛାତ୍ରୀ ଜଣଙ୍କ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦିନେଶ ତାଙ୍କୁ ଅଟକାଇ ଟଣାଓଟରା କରିଥିଲେ। ପରେ ଛାତ୍ରୀ ଜଣଙ୍କ ଏନେଇ ତାଙ୍କ ମା’ଙ୍କୁ କହିଥିଲେ। ଏନେଇ ମହିଳା ଜଣଙ୍କ ଦିନେଶଙ୍କୁ ପଚାରିଥିଲେ। ଶନିବାର ରାତିରେ ଦିନେଶ ଓ ତାଙ୍କର ଅନ୍ୟଜଣେ ସାଙ୍ଗ ଗଣେଶ ଦୁହେଁ ମିଶି ଉକ୍ତ ମହିଳାଙ୍କ ଘରେ ପଶି ଉଭୟ ମା’ ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରିଥିଲେ। ପରେ ଏନେଇ ସଦର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ।