ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି କରାଯାଇ ୧୨୫ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ଶିବସେନା ପକ୍ଷରୁ ମଧ୍ୟ ୧୨୪ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁରର ଦକ୍ଷିଣ-ପଶ୍ଚିମରୁ ନିର୍ବାଚନ ଲଢ଼ିବେ। କୋଥ୍ରୁଡରୁ ଚନ୍ଦ୍ରକାନ୍ତ ପାଟିଲ ନିର୍ବାଚନ ଲଢ଼ୁଥିବା ବେଳେ ସତାରାରୁ ଶିବାଜୀ ମହାରାଜାଙ୍କ ପରିବାରରୁ ଶିବେନ୍ଦ୍ର ସିଂହ ନିର୍ବାଚନ ଲଢ଼ିବେ। ସେହିପରି ନିକଟରେ କଂଗ୍ରେସ ହାତ ଛାଡି ଭାଜପାରେ ସାମିଲ ହୋଇଥିବା ରାଧାକୃଷ୍ଣ ବିଖେ ପାଟିଲଙ୍କୁ ଶିରଡିରୁ ଟିକେଟ ମିଳିଛି। ବର୍ତ୍ତମାନର ୧୨ ବିଧାୟକଙ୍କୁ ଟିକେଟ ମିଳି ନ ଥିବା ବେଳେ ଅନ୍ୟ ୫୨ ବିଧାୟକଙ୍କୁ ପୁଣି ଟିକେଟ ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ଘୋଷଣା ହେବ।

Share