Categories: ଜାତୀୟ

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହାଁନ୍ତି। ଏଠି ଲାଗିରହିଥିବା ରାଜନୈତିକ ଡ୍ରାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡି ବସିଥିବା ବେଳେ ଅନ୍ୟପଟେ ଅଧିକ ଆସନରେ ବିଜୟ ଲାଭ କରିଥିବା ଭାଜପା ଏହି ଆସନକୁ ଭାଗ ବାଣ୍ଟିବାକୁ ପ୍ରସ୍ତୁତ ନାହିଁ। ଏହି ସମୟରେ କିଙ୍ଗ ମେକର ସାଜିଛି ଏନ୍‌ସିପି। ଶୁକ୍ରବାର ଶିବସେନା ନେତା ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହା ସଙ୍କେତ ଦେଉଛି କି ଯଦି ଭାଜପା ଶିବସେନାକୁ ନେଇ ସରକାର ଗଠନ ନ କରେ ତେବେ ଶିବସେନାର ଦ୍ୱାର ଅନ୍ୟମାନଙ୍କ ପାଇଁ ଖୋଲା ରହିଛି। ଅନ୍ୟପଟେ କଂଗ୍ରେସ ପ୍ରଥମରୁ ସ୍ପଷ୍ଟ କରିଥିଲା କି ଯଦି ଶିବସେନା ସମ୍ପର୍କରେ ଆସେ ତେବେ ଏନ୍‌ସିପିକୁ ନେଇ ସରକାର ଗଠନ କରିବା କଥା ଚିନ୍ତା କରାଯାଇପାରେ। ଏହି କ୍ରମରେ ଶୁକ୍ରବାର କଂଗ୍ରେସର ପ୍ରତିନିଧି ମଣ୍ଡଳ ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଳଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତ୍‌କାର ପରେ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେଇଥିବା କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି, ଭାଜପା ତା’ର ସହଯୋଗୀ ସହ ମେଣ୍ଟ କରିବାରେ ବିଫଳ ହେଉଛି। କାରଣ ସେ ତା’ର ଦେଇଥିବା କଥା ରଖୁନାହିଁ। ତେଣୁ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏବେ କଂଗ୍ରେସ ସ୍ଥିତିକୁ ଦେଖି ସମିକ୍ଷା କରୁଛି। ଉପଯୁକ୍ତ ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Share