ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ ୧୩ ତାରିଖରୁ ଝାରସୁଗୁଡ଼ାରୁ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲା ପରିକ୍ରମା କରୁଛନ୍ତି। ସୋମବାର ପୂର୍ବାହ୍ନ ୧୦ଟା ବେଳେ ଏହି ଦଳ ବାଲେଶ୍ୱର ସହରସ୍ଥିତ ଫକୀର ମୋହନ ଗୋଲେଇ ନିକଟରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଅଭିଯାତ୍ରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଖାଉଟି ଅଦାଲତ ସମ୍ମୁଖରେ ପହଞ୍ଚିବା ପରେ ବାଲେଶ୍ୱରର ବହୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଓ ଗଣସଙ୍ଗଠନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକଶକ୍ତିର ନିର୍ଦ୍ଦେଶକ ରବି ରାୟ, ବରିଷ୍ଠ ଖବରଦାତା ବିପ୍ଳବ କୁମାର ମହାନ୍ତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଯୁବନେତା ତୁଷାରକାନ୍ତି ତପସୀ, ଗୋବିନ୍ଦ ଦଳାଇ, ମନୋଜ ନାୟକ, ଇଂ. ହୃଷୀକେଶ ସାହୁ, ବିଧାନ ରାୟ, ଭାଗବତ ପ୍ରତିହାରୀ, ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଓ ସ୍ବାଗତ କମିଟି ଆବାହକ ରାଜେଶ ଗିରି ପ୍ରମୁଖ ଅଭିଯାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରି ହିଂସା ଓ ନିଶା ବିରୋଧରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।
ଅଭିଯାତ୍ରୀ ଦଳରେ ସାମିଲ ଥିବା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିଶାକର ଦାସ ଆଜିର ସମାଜରେ ଗାନ୍ଧୀଙ୍କ ଆଦର୍ଶ ଦେଶବାସୀଙ୍କ ଏକମାତ୍ର ପଥପ୍ରଦର୍ଶକ ବୋଲି କହିଥିଲେ। ରାଷ୍ଟ୍ରୀୟ ଯୁବ ସଙ୍ଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଡ. ବିଶ୍ୱଜିତ୍‌, ରଞ୍ଜିତ୍‌ ଦେହୁରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରଜ୍ଞା ବେହେରା, ଚିନ୍ମୟୀ ସୁତାର, ତ୍ରିଲୋଚନ ମଲ୍ଲ, ବିଶ୍ୱଜିତ୍‌ ମହାନ୍ତି, ବିକ୍ରମ ପଣ୍ଡା, ଅଲିଭା ଦାସ, ମାମାଲି ଗଡ଼ନାୟକ, ସାଗର ଦାସ, ଫୁଲଲତା ସେଠୀ, ଦୀପାଞ୍ଜଳି ଭୋଇ ଓ ଅରବିନ୍ଦ ନାୟକ ପ୍ରମୁଖ ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ‘ଗୋଟିଏ ଶବ’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ନାଟକର ଲେଖକ ଓ ଅଭିନେତାମାନଙ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ବାଲେଶ୍ୱର ସହରରୁ ରେମୁଣା, ନୀଳଗିରି, ଇଞ୍ଚୁଡ଼ି, ସୋର, ତୁଡ଼ିଗଡ଼ିଆ ଆଦି ଅଞ୍ଚଳ ଅଭିଯାତ୍ରୀମାନେ ପରିକ୍ରମା କରିବେ। ଆସନ୍ତା ୩୦ ତାରିଖରେ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ଯାତ୍ରା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି।