ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ ଚାଷ ହେଉଥିବା କୋବି ଭଳି ପୋଷକ ତତ୍ତ୍ୱରେ ଭରପୁର ବୋଲି ନାସା କହିଛି। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଏହାକୁ ଚାଷ କରାଯାଇଥିଲା। ଏହାଦ୍ୱାରା ମହାକାଶ ଯାତ୍ରୀଙ୍କ ଖାଦ୍ୟ ସମସ୍ୟା ଅଗାମୀ ଦିନରେ ଦୂର ହେବା ସହିତ ମାନବ ମିଶନକୁ ସହାୟତା ମିଳିପାରିବ ବୋଲି କେନେଡ଼ି ସ୍ପେସ୍‌ ଷ୍ଟେଶନର ମହାକାଶ ବିଜ୍ଞାନୀ କ୍ରିଷ୍ଟିନା ଖୋଦାଦାଦ୍‌ ସୂଚନା ଦେଇଛନ୍ତି। ଚାଷ କରିବା ଲାଗି ଚକ୍କଣ ମାଟିକୁ ଏକ ବାକ୍ସରେ ରଖାଯାଇ ଏହା ଉପରେ ଲାଲ ରଙ୍ଗର ଆଲୋକ ରଶ୍ମୀ ପକାଯାଇଥିଲା। ଇଞ୍ଜେକଶନ ଦ୍ୱାରା ଏଥିରେ ଆବଶ୍ୟକତା ଅନୁସାରେ ପାଣି ଦିଆଯାଇଥିବା କ୍ରିଷ୍ଟିନା କହିଛନ୍ତି। ଚାଷ ସମ୍ପୂର୍ଣ୍ଣ ହେବା ପାଇଁ ୫୬ ଦିନ ସମୟ ଲାଗିଥିଲା। ଅଗାମୀ ଦିନରେ ଏଠାରେ ଟମାଟୋ ସହିତ ଅନ୍ୟ ପରିବା ମଧ୍ୟ ଚାଷ କରାଯିବାର ଯୋଜନା ରହିଛି।

Share