ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଝିଅ ମୃତ, ମା’ ଗୁରୁତର, ହସ୍ପିଟାଲରେ ଛାଡ଼ି କାର୍‌ ସହ ଚାଳକ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ବାଉଁଶୁଳିଛକ ନିକଟରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୮ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ହୋଇଛନ୍ତି। ନାବାଳିକା ହେଲେ ବାରିଆ ଥାନା କାଉଁରୀକଳା ଗ୍ରାମର ଗ୍ରୀଶ୍ମିରାଣୀ ପାତ୍ର, ଗୁରୁତର ହେଲେ ମଞ୍ଜୁ ପାତ୍ର(୩୫)।
ସୂଚନାନୁଯାୟୀ, ଉଭୟ ମା’,ଝିଅ ମାମୁ ସଞ୍ଜୟ କୁମାର ପାତ୍ରଙ୍କ ସହ ବାଇକ୍‌ ଯୋଗେ କେନ୍ଦୁଝର ନେଲୁଙ୍ଗୁ ଗ୍ରାମରୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ କାର୍‌ଚାଳକ ନିଜେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗ୍ରୀଶ୍ମିଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା କାର୍‌ଚାଳକ ମେଡିକାଲରେ ମା’ ଝିଅଙ୍କୁ ପହଞ୍ଚାଇ ଫେରାର ଥିବା ଥାନାଧିକାରୀ ବାରେନ୍ଦ୍ର ଶିଆଲ କହିଛନ୍ତି। ଏ ନେଇ ଥାନା ଏଏସ୍‌ଆଇ ଗୁରୁପ୍ରସାଦ ଦେଓ କେସ୍‌ ନଂ.୧୩୧/୧୯ରେ ଏକ ମାମଲାରୁଜୁ କରି ତଦନ୍ତ ଜାରି ରଖିଛନ୍ତି।