Categories: ଫୁରସତ

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ପୁଅର ଅସୁସ୍ଥତା ଖବର ପାଇବା ମାତ୍ରେ ଛଅଟି ରାଜ୍ୟର ସୀମା ଡେଇଁ ପୁଅ ପାଖରେ ପହଞ୍ଚିଥିଲେ ଜଣେ ମାଆ। ଏହି ମହିଳା ଜଣକ ହେଉଛନ୍ତି କେରଳର କୋଟ୍ଟାୟାମ୍‌ ଜିଲା ପନାକାଚିର ଗାଁର ସିଲମ୍ମା। ପୁଅକୁ ଦେଖିବା ପାଇଁ ସେ ପ୍ରାୟ ଅଢ଼େଇ ହଜାର କିଲୋମିଟର ଯାତ୍ରା କରିଛନ୍ତି। ସିଲମ୍ମାଙ୍କ ପୁଅ ଅରୁଣ ରାଜସ୍ଥାନର ଜୈସାଲମେର ଠାରେ ବିଏସ୍‌ଏଫ୍‌ ଯବାନ ଭାବେ କାମ କରନ୍ତି। ଗତ ସପ୍ତାହରେ ଅରୁଣଙ୍କ ଦେହ ଖରାପ ହୋଇଥିବା ସିଲମ୍ମା ଖବର ପାଇଥିଲେ। ବିଏସ୍‌ଏଫ୍‌ ଅଧିକାରୀମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ଖବର ପାଇବା ପରେ ସିଲମ୍ମା ନିଜକୁ ଅଟକାଇ ପାରି ନ ଥିଲେ। ପୁଅ ପାଖକୁ ଯିବା ପାଇଁ ସେ ମନସ୍ଥ କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ହୋଇଥିବାରୁ ତାଙ୍କୁ କେଉଁଠିକୁ ବି ଯିବାର ଅନୁମତି ନ ଥିଲା। ମାଆର ବିକଳ ମନକୁ କିନ୍ତୁ କେହି ବି ଅଟକାଇ ପାରି ନ ଥିଲେ। ତେଣୁ ସେ ଜିଲା କଲେକ୍ଟରଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅ ପାଖକୁ ଯିବାର ଅନୁମତି ଆଣିଥିଲେ। ଏହାପରେ ସେ ଏକ କାର୍‌ରେ ତାଙ୍କ ବୋହୂ ସହିତ ତିନି ଦିନ ଲଗାତର ଯାତ୍ରା କରିବା ପରେ ପୁଅ ପାଖରେ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା ସିଲମ୍ମା ପୁଅ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା ଓ ସେ ଆଇସିୟୁରୁ ବାହାରି ଏବେ ୱାର୍ଡକୁ ଆସିଛନ୍ତି। ତେବେ ପୁଅ ପୂରା ଭଲ ହେଲେ ସାଙ୍ଗରେ ଘରକୁ ନେଇ ଆସିବା ପାଇଁ ଅପେକ୍ଷା କରିଛନ୍ତି ସିଲମ୍ମା।

Share