ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଲୁଟିନେଲେ ଦୁର୍ବୃତ୍ତ

ରାଇକିଆ,୨୫।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ଗ୍ରାମରେ ଥିବା ହନୁମାନ ମନ୍ଦିରର ପୂଜାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟି ନେଇଥିବା ରାଇକିଆ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପୂଜକ ଅଙ୍ଗିରା ପ୍ରଧାନଙ୍କ ଦ୍ୱାରା ଲିଖିତ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୨.୩୦ରେ ୪ ଜଣ ଦୁର୍ବୃତ୍ତ ମନ୍ଦିର ନିକଟରେ ଥିବା ତାଙ୍କ ଘରେ ପହଞ୍ଚି ବନ୍ଧୁକ ଦେଖାଇବା ସହ ତାଙ୍କ ପାଖରେ ମନ୍ଦିର ବିଭିନ୍ନ ଦାନ ଦକ୍ଷିଣା ବାବଦକୁ ଆଦାୟ ହୋଇଥିବା ୩୬ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିଲେ। ଏହି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ତିନି ଜଣ ମୁଖା ପିନ୍ଧି ଘର ଭିତରକୁ ପ୍ରବେଶ କରିଥିଲେ। ଜଣେ ଘର ବାହାରେ ଅପେକ୍ଷା କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ରାଇକିଆ ପୋଲିସ କରଡ଼ା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।