Categories: ମେଟ୍ରୋ

ମନ୍ଦିରରୁ ମା’ଙ୍କ ସୁନାଆଖି ଚୋରି

କଟକ ଅଫିସ, ୭ା୯- ବାଦାମବାଡି ଥାନା ଅନ୍ତର୍ଗତ ଖାନ୍‌ନଗର ଗ୍ରାମଦେବତୀ ରଣାମାଙ୍କ ମନ୍ଦିରୁ ଶନିବାର ଚୋରି ହୋଇଛି। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୨୦୨/୧୯) ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ପାଖ ଦୋକାନରେ ଲାଗିଥବା ସିସିଟିଭି କ୍ୟାମେରା ଫୁଟେଜ ଯବତ କରି ଯାଞ୍ଚ କରୁଛି। ଅଭିଯୋଗ ଅନୁଯାୟୀ, ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପୂଜକ ପୂଜା କରୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ମନ୍ଦିରରେ ଆସି ବସିଥିଲେ। ମା’ଙ୍କ ପାଖରେ ଭୋଗ ଲାଗି ହେବା ପାଇଁ ପାଖରେ ଥିବା ରୋଷେଇ ଘରକୁ ପୂଜକ ଅନ୍ନ ଓ ଡାଲି ଆଣିବାକୁ ଯାଇଥିଲେ। ହେଲେ ସେଠାରୁ ଫେରିବା ପରେ ମନ୍ଦିରରେ ବସିଥିବା ବ୍ୟକ୍ତି ଜଣଙ୍କ ପଳାଇଯାଇଥିଲେ। ଏହାପରେ ପୂଜକ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ମା’ଙ୍କ ମୂର୍ତ୍ତିରେ ଲାଗିଥିବା ଦୁଇଟି ସୁନାଆଖି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପୂଜକଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ହଳଦିଆ ଶାର୍ଟ ପିନ୍ଧିଥିବାବେଳେ ତାଙ୍କ ବୟସ ପ୍ରାୟ ୨୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ପୂଜକ ମନ୍ଦିର କମିଟିକୁ ଜଣାଇଥିଲେ। ପରେ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।