ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର ଧରାପଡ଼ିଛନ୍ତି । ତାଙ୍କ ବାରିପଟ ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡାକରି ଗାଁରେ ବୁଲାଇଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଲହୁଲୁହାଣ ହୋଇଥିବା ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ଅଟକ ରଖିଛି। ମନ୍ଦିର ପରିଚାଳନା କମିଟି ସଭାପତି ସୁକାନ୍ତ ପ୍ରଧାନ ମୂର୍ତ୍ତି ଚୋରି ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।
ପ୍ରକାଶ ଯେ, ଛଣମେରି ଗ୍ରାମସ୍ଥିତ ଆଡ଼ୁଆ ସାହିର ଅଭିଯୁକ୍ତ ଜଣକ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କପିଳେଶ୍ୱରଙ୍କ ମନ୍ଦିର ପରିସରରେ ବୁଲୁଥିଲେ। ଏହି ସମୟରେ ଲାଇନ କଟିଯିବାର ସୁଯୋଗ ନେଇ ସେ କୌଶଳକ୍ରମେ ପାର୍ବତୀଙ୍କ ମୂର୍ତ୍ତିକୁ ଏକ ଗାମୁଛାରେ ଗୁଡ଼ାଇ ନେଇ ଯାଇଥିଲେ। ମୂର୍ତ୍ତି ଚୋରି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗ୍ରାମର ଯୁବକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ରବିବାର ଭୋରରେ ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଡ଼େଙ୍ଗାଓସ୍ତାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଦେଖିଥିଲେ। ପଚରାଉଚରା କରିବାରୁ ୫ ହଜାର ଟଙ୍କା ଦେଲେ ମୂର୍ତ୍ତି ମିଳିଯିବ ବୋଲି ସେ କହିଥିଲେ। କୌଶଳକ୍ରମେ ଲୋକେ ତାଙ୍କୁ ଗ୍ରାମକୁ ଡାକି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କ ସୂଚନାପ୍ରକାରେ ତାଙ୍କ ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ପରେ ଉତ୍ତେଜିତ ଗ୍ରାମବାସୀ ତାଙ୍କୁ ଲଣ୍ଡା କରି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଅଭିଯୁକ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଚଳାଇଛି। ସେପଟେ ଗ୍ରାମସଭାର ନିଷ୍ପତ୍ତି ପ୍ରକାରେ ମନ୍ଦିର ପରିସରକୁ ଶୋଧନ କରାଯାଇଥିଲା । ମୁଖ୍ୟ ପୁରୋହିତ କଳାକାର ତ୍ରିପାଠୀ ଏବଂ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ପୀଠ ସଂସ୍କାର କରାଯାଇଥିଲା। ଏଥିପାଇଁ ସକାଳେ ପୂଜାବିଧି ବନ୍ଦ ଥିଲା। ପାରିବାରିକ ଦୁଃସ୍ଥିତିରୁ ଅଭିଯୁକ୍ତ ମୂର୍ତ୍ତି ଚୋରି କରିଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି ।