Categories: ଜାତୀୟ

ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ

ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ ତଥା କନକପୁରା ବିଧାୟକଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କ୍ରମାଗତ ଭାବେ ଜେରା କରାଯାଇଥିଲା। ଏବେ ହେପାଜତରେ ରଖି ତାଙ୍କୁ ଅଧିକ ଜେରା କରାଯିବ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ଶିବକୁମାର ଟୁଇଟ୍‌ କରି ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଛି ବୋଲି କହିଛନ୍ତି। ସେ କୌଣସି ବେଆଇନ କାର୍ଯ୍ୟ କରି ନ ଥିବା ପ୍ରକାଶ କରିଛନ୍ତି। ବୁଧବାର ଇଡି ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏକ କୋର୍ଟରେ ହାଜର କରିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ ଶିବକୁମାର, ନୂଆଦିଲ୍ଲୀସ୍ଥିତ କର୍ନାଟକ ଭବନର କର୍ମଚାରୀ ଓ ଅନ୍ୟ କେତେଜଣଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାଏର କରାଯାଇଥିଲା। ଏବେ ଶିବକୁମାର ଗିରଫ ହେବା ପରେ କଂଗ୍ରେସ ଏହାକୁ ବିରୋଧ କରିବା ଆରମ୍ଭ କରିଛି। ବିରୋଧୀ ଦଳର ନେତାଙ୍କୁ ଅଯଥାରେ ଟାର୍ଗେଟ କରାଯାଉଛି ବୋଲି କର୍ନାଟକର ଦଳୀୟ ମୁଖ୍ୟ ଦୀନେଶ ଗୁଣ୍ଡୁରାଓ କହିଛନ୍ତି।

Share