Categories: ଜାତୀୟ

ମନମୋହନ ରାଜ୍ୟ ସଭାକୁ ନିର୍ବାଚିତ

ଜୟପୁର/ଲକ୍ଷ୍ନୌ, ୨୦ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ଲାଗି ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅପରାହ୍ନ ୩ଟାରେ ଶେଷ ହେବା ପରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ରାଜ୍ୟ ସଭା ସଦସ୍ୟ ମଦନ ଲାଲ୍‌ ସାଇନିଙ୍କ ପରଲୋକ ଯୋଗୁ ରାଜସ୍ଥାନର ଉକ୍ତ ଆସନ ପାଇଁ ଉପନିର୍ବାଚନର ଆବଶ୍ୟକତା ପଡିଥିଲା। କଂଗ୍ରେସ ଏହି ଆସନରୁ ମନମୋହନଙ୍କୁ ପ୍ରାର୍ଥୀ କରିଥିବାବେଳେ ଭାଜପା ପ୍ରାର୍ଥୀ ଦେଇ ନ ଥିଲା। ମନମୋହନ ତିନି ଦଶନ୍ଧି ହେଲା ଆସାମରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିଆସୁଥିଲେ। ତାଙ୍କର କାର୍ଯ୍ୟକାଳ ଗତ ଜୁନ୍‌ ୧୪ରେ ଶେଷ ହୋଇଥିଲା। ଆସାମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଂଖ୍ୟା ନ ଥିବାରୁ ସେ ପୁନର୍ବାର ନିର୍ବାଚିତ ହୋଇପାରି ନ ଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ମଧ୍ୟ ସୋମବାର ଉତ୍ତରପ୍ରଦେଶରୁ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଭାଜପାରୁ ଗତ ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ହୋଇ ନ ଥିବାରୁ ସୋମବାର ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅତିକ୍ରାନ୍ତ ହେବା ପରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

Share