Categories: ଜାତୀୟ

ମନମୋହନଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। କୌଣସି ପ୍ରଧାନମନ୍ତ୍ରୀ ପଦ ଛାଡିବାର ବର୍ଷକ ପରେ ତାଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥାଏ। ୨୦୧୪ ମେ ମାସରେ ମନମୋହନ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ ହେଁ ତାଙ୍କୁ ୫ ବର୍ଷ ହେଲା ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଇ ଆସୁଥିଲା। ଏଣିକି ସିଆର୍‌ପିଏଫ୍‌ ଯବାନମାନେ ମନମୋହନଙ୍କୁ ସୁରକ୍ଷା ଯୋଗାଇବେ। ଏବେ ଏସ୍‌ପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳୁଛି।
୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଧନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅନୂ୍ୟନ ୧୦ ବର୍ଷ ପାଇଁ ଏସ୍‌ପିଜି ସୁରକ୍ଷା ଯୋଗାଇଦେବାକୁ ଆଇନରେ ସଂଶୋଧନ କରାଯାଇଥିଲା।୨୦୦୩ରେ ଏସ୍‌ପିଜି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ଏହି ସମୟସୀମାକୁ ୧ ବର୍ଷକୁ କମାଇ ଦିଆଯାଇଥିଲା ଏବଂ ଏହା ପରେ ପ୍ରତିବର୍ଷ ବିପଦ ସମ୍ଭାବନାର ସମୀକ୍ଷା କରି କେନ୍ଦ୍ର ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବାର ବ୍ୟବସ୍ଥା ହୋଇଥିଲା।

Share