ମଧ୍ୟାହ୍ନଭୋଜନ ଖାଇ ୧୯ ଛାତ୍ରୀଛାତ୍ର ଅସୁସ୍ଥ :ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ଅଫିସ,୯।୮: ଭଦ୍ରକ ଜିଲା ଅଧିନସ୍ଥ ତିହିଡ଼ି ବ୍ଲକ ରାଜନଗର ପଞ୍ଚାୟତର ଚାରି ତରଫ ୟୁଜିଏମଇ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୧୯ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥମାନେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଯୋଗ ମୁତାବକ, ସେମାନେ ଗୁରୁବାର ଖାଇଥିବା ମଧ୍ୟାହ୍ନଭୋଜନରେ ମଲା ମୂଷା ବାହାରି ଥିଲା। ଏହି ମଧ୍ୟାହ୍ନଭୋଜନ ଖାଇଥିବା ଛାତ୍ରୀଛାତ୍ରଙ୍କର ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ଶୁକ୍ରବାର ସେମାନେ ସ୍କୁଲକୁ ଆସି ବାନ୍ତି କରିବାରୁ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏକ ବୋଲେରୋ ଯୋଗେ ସମସ୍ତ ଅସୁସ୍ଥ ୧୯ଜଣ ଛାତ୍ରୀଛାତ୍ରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖବର ପାଇ ଉପଜିଲାପାଳ ପୀତାମ୍ବର ସାମଲ ଓ ସହକାରୀ ଜିଲାପାଳ କାର୍ତ୍ତିକନାଥ ମଣ୍ଡଳ ମେଡିକାଲରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।