ମଦ ପାଇଁ ଆକ୍ରମଣ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍‌ ନଂ.୧୧୨/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇଦିଆଯାଇଛି।
ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ଗ୍ରାମରେ ଦେଶୀମଦ ବିକ୍ରି କରୁଥିବା ଶ୍ରୀହରିଙ୍କ ଘରକୁ ଗ୍ରାମର ରାଜୀବ ରେଡ୍ଡୀ ମଦ ପାଇଁ ଯାଇଥିଲେ। ଶ୍ରୀହରି ମଦ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶ୍ରୀହରି ଉତ୍ତେଜିତ ହୋଇ କଟୁରିରେ ରାଜୀବଙ୍କୁ ଆକ୍ରମଣ କରିଥିଲେ। ଫଳରେ ରାଜୀବଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରଠାରୁ ଫେରାର ଥିବା ଶ୍ରୀହରି ଗ୍ରାମକୁ ଫେରିଥିବା ଖବର ପାଇ ରବିବାର ସକାଳେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌୍‌ଆଇ ବଳଭଦ୍ର ଗଣ୍ଡ ସଦଳବଳ ଶ୍ରୀ ହରିଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି।