ମଦ ନିଶାରେ ପରିବାରର ୫ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ମାଲକାନଗିରି,୧୬ା୬(ଡି.ଏନ୍‌.ଏ.): ନିଶା ସେବନ କଲେ ମଣିଷ ନିଜର ହିତାହତ ଜ୍ଞାନ ହରାଇ ବସିଥାଏ। ସେ ସମୟରେ ସେ କ’ଣ କରିଥାଏ ନିଜେ ବୁଝିପାରି ନ ଥାଏ। ମାଲାକନଗିରି ଜିଲାରେ ଜଣେ ବ୍ୟକ୍ତି ନିଶା ସେବନ କରି ନିଜ ପରିବାରର ୫ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବା ପରି ଘଟଣା ମଙ୍ଗଳବାର ନଜରକୁ ଆସିଛି। ଜିଲାର ମାଥିଲି ବ୍ଲକ କାଳିଆନାୟକଗୁଡା ଗ୍ରାମରେ ଏପରି ଘଟିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ, କାଳିଆନାୟକଗୁଡା ଗ୍ରାମରେ ସପରିବାର ରହୁଥିବା ନରସିଂହ ମାଝି (୪୮) ସୋମବାର ରାତିରେ ମଦ୍ୟପାନ କରି ଘରକୁ ଆସିଥିଲେ। ଘରେ ସ୍ତ୍ରୀ ପୂର୍ଣ୍ଣ ମାଝି ରାନ୍ଧିଥିବା ଖାଦ୍ୟରେ ସେ ବିଷ ମିଶାଇ ଦେଇଥିଲେ। ଏହା ଜାଣି ନ ପାରି ନରସିଂହଙ୍କୁ ଛାଡି ସ୍ତ୍ରୀ ପୂର୍ଣ୍ଣ, ୨ ଝିଅ ଗୌରୀ ମାଝି ,ସୁମିତ୍ରା ମାଝି, ପୁଅ ବାସୁଦେବ ମାଝି ଏବଂ ନରସିଂହଙ୍କ ସମ୍ପର୍କୀୟ ଭାଇ ବନ୍ଧୁ ନାୟକ ଖାଦ୍ୟ ଖାଇଥିଲେ। କିଛି ସମୟ ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଗ୍ରାମବାସୀ ଏହା ଜାଣିପାରି ସମସ୍ତଙ୍କୁ ତୁରନ୍ତ ମାଥିଲି ଡାକ୍ତରଖାନାକୁ ନେଇଥିଲେ। ଖାଦ୍ୟ ବିଷାକ୍ତ ହେବାରୁ ଏପରି ହୋଇଥିବା ଡାକ୍ତର ଜାଣିପାରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିନାହାନ୍ତି।