ମଦ ଓ ଜୀବନ

ଡ. ଭାରତ ଭୂଷଣ ରଥ
ଅମୂଲ୍ୟ ମାନବ ଜୀବନ। ଜନ୍ମରୁ ମୃତ୍ୟୁ ଯାଏ ମଣିଷ ତା’ର ଲକ୍ଷ୍ୟପଥ ଦେଇ ଦିନ ପରେ ଦିନ ଆଗେଇଯାଏ। ମଣିଷ ଯଦି ଏକ ପୂର୍ଣ୍ଣାଙ୍ଗ ଜୀବନାବଧିକୁ ପ୍ରାପ୍ତ ହୁଏ ତେବେ ଅନେକ ବର୍ଷ ଧରି ଏ ସଂସାରରେ ସେ ବଞ୍ଚିରହେ। ତେବେ ଅନେକ ବର୍ଷର ଆୟୁକୁ ନେଇ ଏକ ନିରର୍ଥକ ଜୀବନ ବଞ୍ଚିରହିବାଠାରୁ ଅଧିକା ଆବଶ୍ୟକ ହେଉଛି କିଛି ଉତ୍ତମ କର୍ମକୁ ନିଜ ଜୀବନର ଆଧାର କରି ବଞ୍ଚିରହିବା। ସଂସାରରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଜୀବନ ନାମରେ କଳଙ୍କ। ସେମାନେ ତାଙ୍କ ଜୀବନରେ ନିଜ ପାଇଁ କିଛି କରିପାରନ୍ତିନି, ଅନ୍ୟ ପାଇଁ ମଧ୍ୟ କିଛି କରିପାରନ୍ତିନି। ଯଦି କରନ୍ତି ତାହା ସଂସାରର ଅମଙ୍ଗଳ ବ୍ୟତୀତ ଅନ୍ୟ କିଛି ନୁହେଁ। ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ମଦ୍ୟପାନ କରୁଥିବା ଅନେକ ବ୍ୟକ୍ତି। ‘ମଦ’ ଭାରତରେ ଏକ ଏଭଳି ବିଷାକ୍ତ ପରିବେଶ ସୃଷ୍ଟି କରିଛି, ଯାହା ଦିନକୁ ଦିନ ଭାରତର ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ବିଶେଷକରି ଭାରତର ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ଯୁବକ। ଭାରତୀୟ ଯୁବବର୍ଗ ଚାହିଁଲେ ବିଶ୍ୱ ପରିବର୍ତ୍ତନ କରିପାରିବେ। କିନ୍ତୁ ବିଡ଼ମ୍ବନାର ବିଷୟ ଭାରତର ଯୁବବର୍ଗର ସିଂହଭାଗ ମଦକୁ ଆଶ୍ରୟ କରି ଜୀବନ କାଟନ୍ତି। ମଦ ଭାରତର ଅନେକ ଯୁବକଙ୍କୁ କରିଦେଇଛି ଅକର୍ମଣ୍ୟ, ଅଭାବଗ୍ରସ୍ତ ଏବଂ ଅଭିଶପ୍ତ। ଧନୀଘରର ଯୁବତୀଯୁବକ ଦାମୀ ମଦକୁ ଜୀବନର ଅଙ୍ଗ ଭାବରେ ଗ୍ରହଣ କରୁଥିବା ବେଳେ ଗରିବ ଯୁବକମାନେ ଶସ୍ତା ବିଷଯୁକ୍ତ ମଦକୁ ଜୀବନର ଆୟୁଧ କରି ବଞ୍ଚୁଥିବାର ନମୁନା ପ୍ରତି ଗାଁ ଗହଳିରୁ ଆରମ୍ଭକରି ସହର ବଜାର ପର୍ଯ୍ୟନ୍ତ ପରିବ୍ୟାପ୍ତ। ମନ୍ଦିରଠାରୁ ଘର ପର୍ଯ୍ୟନ୍ତ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମଦ ହୋଇଯାଇଛି ଏକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ। ଏପରିକି ମା’ବାପାଙ୍କ ଶୁଦ୍ଧ ହେବାକୁ ଯାଉଥିବା ଝିଅପୁଅମାନେ ମଦ ପିଇ ରାସ୍ତାରେ ଗଡୁଥିବାର ଦୃଶ୍ୟ ଆମ ଦେଶରେ ଆଉ ବିରଳ ନାହିଁ। ତେବେ ମଦ କ’ଣ ମଣିଷ ପାଇଁ ଏତେ ଆବଶ୍ୟକ ହୋଇଗଲା ଯେ, ସେ ନିଜର ମାନବିକତାକୁ ବି ଜଳାଞ୍ଜଳି ଦେଇଦେଉଛି। ମଦ ମଣିଷକୁ କିଛି ସମୟର ଉନ୍ମାଦନା ବ୍ୟତୀତ ଆଉ ଦିଏ ବା କ’ଣ? କିନ୍ତୁ ପ୍ରତିବଦଳରେ ମାନବଠାରୁ ଛଡ଼ାଇ ନେଇଯାଏ ତା’ର ସୁସ୍ଥ ଶରୀର, ସମସ୍ତ ସମ୍ପତ୍ତି, ସାମାଜିକ ସ୍ନେହଶ୍ରଦ୍ଧା ଏବଂ ସୁଖଶାନ୍ତିର ସମସ୍ତ ଐଶ୍ୱର୍ଯ୍ୟ। ତଥାପି ଏ କଥାକୁ ବିଝୁଛି କିଏ? ସମାଜର ସୁବିଧା ଅସୁବିଧା ବୁଝିବା ସରକାରଙ୍କର ପ୍ରମୁଖ ଦାୟିତ୍ୱ। ହେଲେ ବର୍ତ୍ତମାନର ସରକାରମାନେ ମଦ ଦୋକାନ ଖୋଲି ଚାଲିଛନ୍ତି। ମଦ ବିକ୍ରି ହେଲେ ବହୁତ ରାଜସ୍ବ ମିଳୁଥିବା ଅନେକ ଅର୍ଥନୀତି ବିଶାରଦ ମତ ଦିଅନ୍ତି। ତେବେ ଏ ରାଜସ୍ବ ବୃଦ୍ଧି କାହାପାଇଁ? ଜନସାଧାରଣଙ୍କ ସୁଖ ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ରାଜସ୍ବ ବୃଦ୍ଧିର ଆବଶ୍ୟକତା ରହିଛି। ତେବେ ଯେଉଁ ମଣିଷଟି ଥରେ ମଦ ପିଇବା ଅଭ୍ୟାସ ଆରମ୍ଭ କଲା ତା’ ଜୀବନରେ ନା ସୁଖ ନା ଶାନ୍ତି। ମଦ ପାଇଁ ଅନେକ ପରିବାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାର ପ୍ରମାଣ ଆମ ଚକ୍ଷୁ ସମ୍ମୁଖରେ ପ୍ରତିଦିନ ଉଦ୍ଭାସିତ ହୁଏ। ନାନା ପ୍ରକାର ରୋଗ ଏବଂ ରାସ୍ତାଘାଟରେ ଦୁର୍ଘଟଣା ସୂଚେଇ ଦେଉଛି ମଦର ବିଭୀଷିକା। ମଦ ପ୍ରଭାବରେ ଆଜିକାଲି ଘରୁ ବାହାରକୁ ବାହାରିଲେ ପୁଣି ଜୀବନ ନେଇ ଘରକୁ ଫେରିବା ସନ୍ଦେହଜନକ। ଯିଏ ମଦୁଆ ତା’ ଜୀବନ ସହିତ ମଦ ପିଉ ନ ଥିବା ଲୋକଟିର ଜୀବନ ମଧ୍ୟ ରାଜସ୍ବ ବୃଦ୍ଧିର ଶିକାର ହୋଇଯାଉଛି। ଭାରତ ଭଳି ପ୍ରକୃତିର ଗନ୍ତାଘରେ ରାଜସ୍ବ ବୃଦ୍ଧି ପାଇଁ କ’ଣ ଅନ୍ୟ କିଛି ଉପାୟ ନାହିଁ? ପର୍ଯ୍ୟଟନ, ଶିଳ୍ପ ପ୍ରଭୃତି ଦ୍ୱାରା ଯଦି ଅନ୍ୟ ବିକଶିତ ଦେଶଗୁଡ଼ିକ ରାଜସ୍ବ ବୃଦ୍ଧି କରିପାରୁଛନ୍ତି ତେବେ ଭାରତରେ ଏହା କାହିଁକି ସମ୍ଭବ ହୋଇପାରୁନାହିଁ? ଗୋଟିଏ ପକ୍ଷେ ରାଜସ୍ବ ବୃଦ୍ଧି ଏବଂ ଅନ୍ୟ ପକ୍ଷେ ମଣିଷର ଶାନ୍ତି – ଏ ଦୁଇଟିରୁ କ’ଣ ଆମ ପାଇଁ ଶ୍ରେୟସ୍କର ତାହା ସମସ୍ତଙ୍କୁ ଜଣା। ମଦରୁ ଆଉ ଗୋଟିଏ ବଡ଼ ଲାଭ ହେଉଛି ରାଜନୈତିକ ଦଳଙ୍କ ଭୋଟଲାଭ।
ତେବେ ପ୍ରଶ୍ନ ଉଠେ ମଦ୍ୟପାନ ଭଳି ଏକ କୁତ୍ସିତ ପ୍ରଥା ଭାରତରେ ପ୍ରଚଳିତ ହେଲା କାହିଁକି? ଏଥିପାଇଁ ଯେ କେବଳ ସରକାର ହିଁ ଦାୟୀ ଏହା କୁହାଯାଇ ନ ପାରେ, କାରଣ ସରକାର ବି ମଣିଷମାନଙ୍କ ଦ୍ୱାରା ପରିଚାଳିତ ଏକ ନାମମାତ୍ର। ପୁନଶ୍ଚ କେବଳ ବର୍ତ୍ତମାନର ସରକାର ଯେ ମଦ୍ୟପାନକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ନୁହେଁ। କାରଣ ଭାରତ ସ୍ବାଧୀନତାଠାରୁ ପ୍ରାୟ ସମସ୍ତ ସରକାର ଅବକାରୀ ବିଭାଗକୁ ଖୁବ୍‌ ଲାଭଜନକ ବିଭାଗ ଭାବରେ ସମ୍ମାନ ଦିଅନ୍ତି। ଇଂରେଜମାନେ ଭାରତରେ ଶାସନ କରିବା ପରଠାରୁ ମଦ ଭଳି ଏକ ବିଷାକ୍ତ ପାନୀୟ ଆମ ଦେଶକୁ ପଶି ଆସିଲା। ସେମାନଙ୍କ ଜଳବାୟୁରେ ମଦ ଏକ ନିତ୍ୟ ବ୍ୟବହୃତ ପଦାର୍ଥ ହୋଇଥିବାରୁ ସେମାନେ ଭାରତରେ ମଧ୍ୟ ସେହି କୁଅଭ୍ୟାସକୁ ଛାଡ଼ିପାରିଲେନି। ଶେଷରେ ଭାରତୀୟମାନେ ମଧ୍ୟ ମଦ୍ୟପାନକୁ ଏକ ଅଭ୍ୟାସ ରୂପେ ବରଣ କରିନେଲେ। ହଁ, ଏହା ଆମେ ସ୍ବୀକାର କରିପାରିବା ଭାରତରେ ସୁରାପାନ ବ୍ୟବସ୍ଥା ପ୍ରାଚୀନ କାଳରୁ ପ୍ରଚଳିତ ଥିଲା। ତେବେ ସୁରା ହେଉଛି ଅନେକ ବୃକ୍ଷ, ଲତା ଏବଂ ଚେରମୂଳର ଶୋଧନ କରି ସୃଷ୍ଟି ହେଉଥିବା ଏକ ରସାୟନ। ବେଳେବେଳେ ଘରୋଇ ଉପାୟରେ ମଦ ପ୍ରସ୍ତୁତି ମଧ୍ୟ ଭାରତର ଏକ ପ୍ରାଚୀନ ପରମ୍ପରା ଥିବାର ଜାଣିହୁଏ। ଏ ସବୁ ଯଦ୍ୟପି କୁଅଭ୍ୟାସ ଥିଲା କିନ୍ତୁ ସ୍ବାସ୍ଥ୍ୟ ପାଇଁ ଅନେକ କ୍ଷେତ୍ରରେ ଉପଯୋଗୀ ବି ହେଉଥିଲା। ସୁରା ଶ୍ରାନ୍ତ କ୍ଳାନ୍ତ ମଣିଷର ପରିଶ୍ରମଜନିତ ଭାରକୁ ଉପଶମ କରାଏ। କିନ୍ତୁ ବର୍ତ୍ତମାନର ମଦ ସୁରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଜୀବନନାଶକ। ଅତି ସହଜରେ ଏବଂ ଅତି ନିକଟରେ ମଦ ମିଳିବା ଭାରତ ଭଳି ଏକ ଦେଶରେ କେତେଦୂର ଯଥାର୍ଥ ତାହା ବିଚାରଯୋଗ୍ୟ। ଏଭଳି ଏକ ସ୍ପର୍ଶକାତର ବିଷୟକୁ ଜନସାଧାରଣ ଗମ୍ଭୀରତାର ସହିତ ବିଚାର କରିବା ଆବଶ୍ୟକ। ଦେଶ ଏବଂ ଜାତିର ହିତ ପାଇଁ ବେଳେବେଳେ ଅନେକ କିଛି ଭାବିବାକୁ ପଡ଼ିଥାଏ। କାରଣ ଦେଶ ଏବଂ ଜାତି ବଞ୍ଚି ରହିଲେ ଯାଇ ଆମେ ବଞ୍ଚିବା। ତେଣୁ ଭାରତର ସମସ୍ତ ନାଗରିକ ଏକ ସୁସ୍ଥ ବାତାବରଣରେ ବଞ୍ଚିବା ପାଇଁ ମଦ ଏବଂ ସମସ୍ତ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ମୋ- ୮୮୯୭୪୨୬୨୪୩, paramatmabharat@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri