Categories: ଫୁରସତ

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ ପ୍ରେମ ପରିପ୍ରକାଶ ପାଇଁ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଏ। ମଣିଷ ଭଳି ପ୍ରାଣୀଙ୍କଠାରେ ମଧ୍ୟ ସମ୍ବେଦନଶୀଳ ଗୁଣ ଦେଖାଦେଇଥାଏ। ଏନେଇ ଭିଏନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମଣିଷ ଶରୀରରେ ଖୁସି ହରମୋନ୍‌ ଅକ୍ସିଟୋସିନ୍‌ ପ୍ରବାହିତ ହେବା ପରି ପ୍ରାଣୀଙ୍କ ମଧ୍ୟରେ ମଧ୍ୟ ଏହି ହରମୋନ୍‌ କ୍ଷରଣ ହୋଇଥାଏ। ଏହାର ପ୍ରଭାବରେ ସେମାନଙ୍କଠାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦୃଷ୍ଟିଗୋଚର ହୋଇଥାଏ। କିଛି ପ୍ରାଣୀ ଭଲ ପାଇବାର ନିଦର୍ଶନ ସ୍ବରୂପ ଅନ୍ୟକୁ ଚାଟି ଥାନ୍ତି। ସିମ୍ପାଜିମାନେ ପରସ୍ପର ମଧ୍ୟରେ ମଣିଷ ଭଳି ସମ୍ବେଦନଶୀଳତା ପରିପ୍ରକାଶ କରିଥାନ୍ତି। କେତେକ ପ୍ରାଣୀ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ନିଜ ନିଜ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚିତ କରନ୍ତି ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। କୁକୁର ଏବଂ ହାତୀଙ୍କ କ୍ଷେତ୍ରରେ ଇର୍ଷା ଏବଂ ଭଲ ପାଇବା ଗୁଣ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ରହିଥାଏ। ଅପରପକ୍ଷରେ ମୂଷା ଏବଂ ଅନ୍ୟ ଛୋଟ ଛୋଟ ପ୍ରାଣୀଙ୍କଠାରେ ଏହା କମ୍‌ ରହିଥାଏ। ତେବେ ଏସବୁ ଗୁଣ ପରସ୍ପର ମଧ୍ୟରେ ସମ୍ପର୍କ ସୂଚିତ କରିବାର ଏକ ପ୍ରାକୃତିକ ମାଧ୍ୟମ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।

Share