Categories: ଜାତୀୟ

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭ ଲକ୍ଷ ଟଙ୍କା ସହିତ ୨୬.୪୯ ଲକ୍ଷ ଟଙ୍କାର ଅଚଳ ନୋଟ ଜବତ କରିଛି। ଅଚଳ ନୋଟ ଜବତ ହେବା ଏକ ଅପରାଧ ଏବଂ ଏଥିପାଇଁ ୫ ଗୁଣ ଅର୍ଥ ତାଙ୍କଠାରୁ ଆଦାୟ କରାଯିବ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ରାଜ୍ୟର ଉନ୍ନୟନମୂଳକ ପାଣ୍ଠିରୁ ୩୩୨ କୋଟି ଟଙ୍କା ଅନିୟମିତତା ଅଭିଯୋଗରେ ସିବିଆଇ ଇବୋବିଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରେ ମଣିପୁର ଉନ୍ନୟନ ସୋସିଆଇଟି (ଏମ୍‌ଡିଏସ୍‌) ସହ ସମ୍ପୃକ୍ତ ଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅଛନ୍ତି। ସେମାନେ ହେଲେ ଏମ୍‌ଡିଏସ୍‌ର ପୂର୍ବତନ ଅଧ୍ୟକ୍ଷ ଡି.ଏସ୍‌. ପୁନିଆ, ପି.ସି. ଲମୁକ୍‌ଙ୍ଗା ଏବଂ ଓ. ନବକିଶୋର ସିଂ, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବାଇ. ନିଙ୍ଗ୍‌ଥେମ ସିଂ ଏବଂ ପ୍ରଶାସନିକ ଅଧିକାରୀ ଆର୍‌. ରଞ୍ଜିତ୍‌ ସିଂ। ଇବୋବିଙ୍କ ଘର ଉପରେ ଚଢ଼ାଉ ବେଳେ ୮ଟି ଲକ୍‌ଜ୍ୟୁରୀ କାର ସମେତ କେତେକ ବ୍ରାଣ୍ଡେଡ୍‌ ସାମଗ୍ରୀ ଜବତ ହୋଇଛି। ୨୦୦୯ ଜୁନ୍‌ ୩୦ରୁ ୨୦୧୭ ଜୁଲାଇ ୬ ପର୍ଯ୍ୟନ୍ତ ଇବୋବି ଏମ୍‌ଡିଏସ୍‌ର ଅଧ୍ୟକ୍ଷ ଥିଲେ। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ଉକ୍ତ ସୋସାଇଟିକୁ ୫୧୮ କୋଟି ଟଙ୍କା ଆସିଥିବାବେଳେ ସେଥିରୁ ୩୩୨ କୋଟି ଟଙ୍କା ହେରଫେର ହୋଇଥିଲା ବୋଲି ସିବିଆଇ ମୁଖପାତ୍ର କହିଛନ୍ତି।

Share