‘ମଜୁରି ପାଇଁ ଶିଳ୍ପସଂସ୍ଥାକୁ ବାଧ୍ୟ କରାଯାଇପାରିବନି’

ନୂଆଦିଲ୍ଲୀ,୨୫ା୪(ପି.ଟି.): ଲକ୍‌ଡାଉନ ସମୟରେ କର୍ମଚାରୀଙ୍କୁ ମଜୁରି ପୈଠ କରିବା ଲାଗି ଶିଳ୍ପସଂସ୍ଥାଗୁଡ଼ିକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଶ୍ରମ ସମ୍ପର୍କିତ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଛନ୍ତି। ଏହି କମିଟି ଗୁରୁବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଶିଳ୍ପ ସମ୍ପର୍କିତ ନିୟମାବଳୀ, ୨୦୧୯ ଉପରେ ରିପୋର୍ଟ ପ୍ରଦାନ କରିଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରତିଷ୍ଠାନ ବନ୍ଦ ରହିଲେ, ଏହାର କର୍ମଚାରୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ତାହା ଉପରେ କମିଟିରେ ଭିନ୍ନ ମତ ପ୍ରକାଶ ପାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପ୍ରତିଷ୍ଠାନ ଦୀର୍ଘଦିନ ବନ୍ଦ ରହିଲେ, ଏହା ଚାଲୁ ହେବା ପର୍ଯ୍ୟନ୍ତ ଶ୍ରମିକଙ୍କୁ ମଜୁରି ଦେବା ନ୍ୟାୟସଙ୍ଗତ ହୋଇ ନ ପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏଭଳି କ୍ଷେତ୍ରରେ ପ୍ରତିଷ୍ଠାନ ବନ୍ଦ କିମ୍ବା କର୍ମଚାରୀ ଛଟେଇ ଲାଗି ନିଯୁକ୍ତିଦାତା ଦାୟୀ ରହିବେ କି ନାହିଁ ତାହା ଉପରେ ଆନୁଷଙ୍ଗିକ ଧାରାରେ ସ୍ପଷ୍ଟୀକରଣ ଚାହିଁଛି କମିଟି।

Share