ଭୟାବହ ଅଗ୍ନିକାଣ୍ଡ: ୧୮ ବଖରା ଘର ଜଳିଗଲା

ରାଜନଗର,୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଘଡିଆମାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ଭସ୍ମିଭୂତ ହୋଇଯାଇଛି। ଗ୍ରାମର ବଳରାମ ରାଉତଙ୍କ ୧୨ ବଖରା, ବେଣୁଧର ରାଉତ, କୈଳାଶ ରାଉତ ଓ ବାବୁ ରାଉତଙ୍କ ୬ ବଖରା ଘର ପୋଡିଯାଇଛି। ରାଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ କେବଳ ପିନ୍ଧା ଲୁଗା ଛଡା ଘରର କୋଣସି ଆସବାବପତ୍ର ଉଦ୍ଧାର କରିପାରି ନ ଥିଲେ। କୁହୁଡି ବହୁମାତ୍ରାରେ ହୋଇଥିବାରୁ ଦମକଳ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଗ୍ରାମବାସୀମାନେ ପାରୁ ପର୍ଯ୍ୟନ୍ତ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଆଗରେ ହାର ମାନିଥିଲେ। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।