ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନିଆଁ ଲାଗି ସବୁ ଛାରଖାର ହୋଇଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା କୁହାଯାଉଛି। ୭୦ରୁ ଉଦ୍ଧର୍ବ ଫଳ ଦୋକାନରେ ନିଆଁ ଲାଗି ଜଳିପୋଡି ଛାରଖାର ହୋଇଯାଇଛି । ୭୦ ଲକ୍ଷ ଟଙ୍କାର ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା କୁହାଯାଉଛି। ବଲାଙ୍ଗୀର ଏସପି ଅଭିଳାଷ ଜି, ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ପୌରାଧ୍ୟକ୍ଷା ଲିକା ସାହୁ, ତହସିଲଦାର, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଜଳି ପୋଡି ଯାଇଥିବା ବଜାରକୁ ଆସି ଦେଖିଥିଲେ । ଏସଡିପିଓ ସରୋଜ ଉପାଧ୍ୟାୟ, ଟାଉନ ଥାନା ଆଇଆଇସି ଅବନୀ ସାହୁ ଘଟଣାସ୍ଥଳକୁ ଆସି ଫଳ ଦୋକାନୀଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ଦାବିରେ ଫଳ ଦୋକାନୀମାନେ ଦୀର୍ଘ ସମୟଧରି ରାସ୍ତାରୋକୋ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବଲାଙ୍ଗୀର ତହସିଲଦାର ଆସି ଫଳ ବେପାରୀଙ୍କ ସହିତ କ୍ଷତିପୂରଣ ଦାବି ନେଇ ଆଲୋଚନା କରିଥିଲେ l ଅଗ୍ନିଶମ ବିଭାଗ ପକ୍ଷରୁ ତିନିଟି ଦମକଳ ଲାଗିଥିଲେ ମଧ୍ୟ ଆଖି ପିଛୁଳାକେ ଫଳ ଦୋକାନ ଜଳିପୋଡି ଛାରଖାର ହୋଇଯାଇଥିଲା।


