Posted inଫୁରସତ

ଭ୍ୟାଲେଣ୍ଟାଇନ୍‌ ସ୍ପେଶାଲ: ଯେଉଁଠି ପ୍ରେମ ପାଇଁ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା ଦେଖେନା ଜାତି, ଅଜାତି କି ସୁନ୍ଦର ରୂପରଙ୍ଗ। ଖାଲି ଜଣଙ୍କର ମନ ସହ ଆଉ ଜଣଙ୍କର ମନ ମିଶିଗଲେ ପ୍ରେମର ମଳୟ ପବନ ବହିବା ଆରମ୍ଭ କରେ। ଏଇ ଯେମିତି ଏଠାରେ ଉଲ୍ଲେଖ ହୋଇଥିବା ଦମ୍ପତିମାନଙ୍କ କ୍ଷେତ୍ରରେ ଘଟିଛି। ଭାଗ୍ୟର ବିଡମ୍ବନାରୁ ସେମାନେ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସକ୍ଷମ ନ ହୋଇ ବି ସୁଖୀ ଦାମ୍ପତ୍ୟ ଜୀବନ ଜିଉଛନ୍ତି। କାରଣ ସେମାନଙ୍କ ପାଖେ ଅଛି ଗୋଟିଏ ସୁନ୍ଦର ହୃଦୟ। ଆଉ ସେହି ହୃଦୟରେ ଏତେ ଭଲ ପାଇବା ଭରି ରହିଛି ଯେ, ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ସହ ବିପଦକୁ ସାମ୍ନା କରିବାକୁ ସାହସ ଯୋଗାଇ ପାରୁଛି…

ଭଗବାନଙ୍କ ଆଶୀର୍ବାଦ ହିଁ ଶରତ ଓ ସୁକାନ୍ତିଙ୍କୁ ଖୁସି ଆଣିଦେଇଛି: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ମଧୁପୁର ଗାଁର ବାସିନ୍ଦା ହେଲେ ଶରତ ଦାସ। ବୟସ ତାଙ୍କୁ ୫୦ ପାଖାପାଖି। ତାଙ୍କୁ ଯେତେବେଳେ ମାତ୍ର ୧ ବର୍ଷ ହୋଇଥିଲା, ତାଙ୍କ ବାମଗୋଡ଼ଟି ପୋଲିଓ ଆକ୍ରାନ୍ତ ହୋଇ ଜଙ୍ଘ ପାଖରୁ ପାଦ ପର୍ଯ୍ୟନ୍ତ ସରୁ ହୋଇଗଲା। ସଳଖ ହୋଇ ଚାଲିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେଣୁ ସେବେଠାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ। ଅବଶ୍ୟ ସେତେବେଳେ ସେ ଆଶାବାଡି ବ୍ୟବହାର କରୁ ନ ଥିଲେ। ହେଲେ ଗତ ୬ ବର୍ଷ ହେବ ଶାରୀରିକ ଦୁର୍ବଳତା ଯୋଗୁ ସେ ଚାଲିବା ପାଇଁ ଆଶାବାଡିର ସାହାଯ୍ୟ ନେଉଛନ୍ତି। ତିନିଭାଇ ଭିତରେ ଶରତ ଥିଲେ ସବା ସାନ। ମାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ିବା ପରେ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କରିଥିଲେ। ତାଙ୍କ ବାପା ଥିଲେ ଜଣେ ଚାଷୀ। ଦୁଃଖକଷ୍ଟରେ ତାଙ୍କ ପରିବାରର ଚକ ଆଗକୁ ଗଡି ଚାଲିଥିଲା। ଶରତଙ୍କ ବଡ଼ ଦୁଇ ଭାଇ ରୋଜଗାର କରି ସହରରେ ତାଙ୍କ ସାଂସାରିକ ଜୀବନ ବିତାଇବାକୁ ଲାଗିଲେ। ଘରେ ବୃଦ୍ଧ ବାପାମା’ଙ୍କର ଦେଖାଚାହାଁ ସାଙ୍ଗକୁ, ଘରକଥା ବୁଝିବାକୁ କେହି ନ ଥିଲେ। ତେଣୁ ଶରତଙ୍କ ପାଇଁ କନିଆ ଖୋଜା ଅଭିଯାନ ଆରମ୍ଭ ହେଲା। ଶରତ ନିଜ ଶାରୀରିକ ସମସ୍ୟାକୁ ଦେଖି ବିବାହ କରିବାକୁ ମନା କରୁଥିଲେ। ହେଲେ ପରିବାରରେ ବାଧ୍ୟ କରିବାରୁ ସେ ରାଜି ହୋଇଥିଲେ। ଆଉ ରାଜନଗର ବ୍ଲକ ଅନ୍ତର୍ଗତ ଘଡିଆମାଳ ଗାଁର ଝିଅ ସୁକାନ୍ତିଙ୍କୁ ୧୯୯୫ ମସିହାରେ ସେ ବିବାହ କରିଥିଲେ। ସୁକାନ୍ତିଙ୍କୁ ମଧ୍ୟ ଯେତେବେଳେ ମାତ୍ର ୩/୪ ବର୍ଷ ବୟସ ହୋଇଥିଲା, ସେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯିବାରୁ ତାଙ୍କର ଡାହାଣ ଗୋଡର ପାଦଟି ସମ୍ପୂର୍ଣ୍ଣ ପୋଡି ହୋଇ ଯାଇଥିଲା। ତେଣୁ ସେବେଠାରୁ ସୁକାନ୍ତି ବହୁ କଷ୍ଟରେ ଡାହାଣ ଗୋଡର ଗୋଇଠିକୁ ଭରା ଦେଇ ଛୋଟେଇ ଛୋଟେଇ ଚାଲି ଆସୁଛନ୍ତି। ଚଲାବୁଲା କରିବାରେ ତାଙ୍କୁ ସିନା ଟିକେ କଷ୍ଟ ହୋଇଥାଏ, ହେଲେ ସୁଗୃହିଣୀ ଭାବେ ଘର ସମ୍ଭାଳିରେ ସେ ସିଦ୍ଧହସ୍ତା। ଏବେ ଶରତ ଓ ସୁକାନ୍ତିଙ୍କର ଦାମ୍ପତ୍ୟ ଜୀବନ ବେଶ୍‌ ହସଖୁସିରେ ଚାଲିଛି। ତାଙ୍କର ୨୪ ବର୍ଷର ପୁଅ ସରୋଜ ଏମ୍‌.ଏ. ପାସ୍‌ କରି କଳାହାଣ୍ଡିର ଏକ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ୧୯ ବର୍ଷର ଝିଅ ଶୁଭସ୍ମିତା ବି.ଏ. ପାସ୍‌ କରି ଅଙ୍ଗନଓ୍ବାଡିର ଜଣେ ଓ୍ବାର୍କର ଭାବେ କାମ କରୁଛନ୍ତି। ତେବେ ଶରତ ବିବାହ କରିବା ପରେ ପରିବାର ଚଳାଇବା ପାଇଁ କିଛିଦିନ ଟ୍ୟୁଶନ କରୁଥିଲେ। ତା’ପରେ ଗାଁରେ ଏକ ତେଜରାତି ଦୋକାନ କଲେ। ହେଲେ ତାହା କ୍ଷତିରେ ଚାଲିବାରୁ ଦୋକାନ ବନ୍ଦ କରି ତାଙ୍କ ବାପାଙ୍କର ଥିବା ୨ ଏକରର ଚାଷଜମିକୁ ଲୋକ ଲଗାଇ ଚାଷ କରିବାକୁ ଲାଗିଲେ। ଏଥିପାଇଁ ସେ କୋଅପରେଟିଭ୍‌ ବ୍ୟାଙ୍କ୍‌ରୁ ଷାଠିଏ ହଜାର ଟଙ୍କା ଲୋନ୍‌ ବି ଆଣିଥିଲେ। ହେଲେ ଦିନକୁ ଦିନ ଲୋକମାନଙ୍କର ମଜୁରି ବୃଦ୍ଧି ପାଇବାରୁ ଚାଷ କରିବାରେ ବି ସମସ୍ୟା ଦେଖାଦେଲା। ତେଣୁ ସେ ବାଧ୍ୟ ହେଲେ ଚାଷ ବନ୍ଦ କରିବାକୁ। ତା’ପରେ ନିଜ ବାଡିରେ ବିଭିନ୍ନ ପ୍ରକାରର ପନିପରିବା ଲଗାଇ ତାକୁ ବିକ୍ରି କରି ବହୁ କଷ୍ଟରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଶରତ। ଏଥିରେ ତାଙ୍କୁ ତାଙ୍କ ପତ୍ନୀ ସୁକାନ୍ତି ବି ବହୁତ ସାହାଯ୍ୟ କରୁଥିଲେ। ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ହସିହସି ସେ ସବୁକୁ ସହି ଯାଉଥିଲେ। ସେହି ସ୍ବଳ୍ପ ରୋଜଗାରରୁ କିଛି ସଞ୍ଚୟ କରି ଶରତ ବ୍ୟାଙ୍କରୁ ଆଣିଥିବା ଲୋନ୍‌କୁ ବି ଶୁଝୁଥିଲେ। ତା’ସହିତ ପିଲା ଦୁହିଁଙ୍କୁ ପାଠ ପଢାଇ ଶିକ୍ଷିତ କରିବାରେ ମଧ୍ୟ ସେମାନେ ଦିନରାତି ଏକ କରି ଦେଇଥିଲେ, ଯାହାଫଳରେ ଏବେ ତାଙ୍କର ପୁଅଝିଅ ଦୁହେଁ ପାଠଶାଠ ପଢି ରୋଜଗାରକ୍ଷମ ହୋଇସାରିଲେଣି। ଆଉ ଘର ଚଳାଇବାରେ ବାପାଙ୍କୁ ସାହାଯ୍ୟ କରିବା ସହ ବାକି ଥିବା ବ୍ୟାଙ୍କ୍‌ ଲୋନ୍‌କୁ ଶୁଝିବାରେ ବି ସହଯୋଗ କରୁଛନ୍ତି। ତା’ସହିତ ଉଭୟ ଶରତ ଓ ସୁକାନ୍ତିଙ୍କୁ ପ୍ରତିମାସ ୫୦୦ଟଙ୍କା ଲେଖାଏ ଭିନ୍ନକ୍ଷମ ଭତ୍ତା ମିଳିବା ସହ ସରକାରଙ୍କର ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ (ଏଏଓ୍ବାଇ) ମାସକୁ ୩୫ କେ.ଜି. ଚାଉଳ ବି ମିଳୁଛି। ତେଣୁ ଚଳିବାରେ ସେମାନଙ୍କୁ ଆଉ କିଛି ଅସୁବିଧା ହେଉନାହିଁ। ଆଜି ସେମାନେ ଯେଉଁ ଖୁସିରେ ଅଛନ୍ତି, ସେଥିପାଇଁ ସବୁ ଶ୍ରେୟ ଭଗବାନଙ୍କୁ ହିଁ ଦେଉଛନ୍ତି।

ସୁଖଦୁଃଖକୁ ହସିହସି ସହିଯିବାକୁ ପ୍ରସ୍ତୁତ ଅଛନ୍ତି ଧନେଶ୍ୱର ଓ ସୁକାନ୍ତି: ସ୍ବାମୀସ୍ତ୍ରୀ ଭିତରେ ଉତ୍ତମ ବୁଝାମଣା ଓ ନିଃସ୍ବାର୍ଥ ପ୍ରେମ ଥାଇ ସୁଖର ସଂସାର ଗଢିବାକୁ କେଉଁ ଦମ୍ପତିଙ୍କୁ ବା ଭଲ ନ ଲାଗେ। ସେମିତି ଏକ ସୁନା ସଂସାରର ସ୍ବପ୍ନ ନେଇ ଜୀବନର ଚଳାପଥରେ ପରସ୍ପରର ସହାୟକ ହେବାକୁ ମନସ୍ଥ କରି ଆଗକୁ ଆଗେଇ ଚାଲିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ଦମ୍ପତି ଧନେଶ୍ୱର ପରିଡା(୨୫) ଓ ସୁକାନ୍ତି ପରିଡ଼ା(୨୪)। ତିନି ବର୍ଷ ତଳେ ବୈଦିକ ରୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଏହି ସାତ ମାସ ତଳେ ସେମାନଙ୍କ କୋଳମଣ୍ଡନ କରିଛି ଏକ ଶିଶୁପୁତ୍ର। ହସଖୁସିରେ ଆଗେଇ ଚାଲିଛି ସେମାନଙ୍କ ତେଲଲୁଣର ସଂସାର। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁରରେ ରହିଛି ସେମାନଙ୍କ ବାସସ୍ଥାନ। ଧନେଶ୍ୱର ମାତ୍ର ୨ମାସର ହୋଇଥିଲାବେଳେ ମିଳିମିଳାରେ ତାଙ୍କର ଦୁଇଆଖି ନଷ୍ଟ ହୋଇଯାଇଥିଲା। ତଥାପି ସେ ନିକଟସ୍ଥ ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସଙ୍କ ସାହାଯ୍ୟ ସହଯୋଗରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାରେ ସକ୍ଷମ ହୋଇଥିଲେ। ତା’ସଙ୍ଗେସଙ୍ଗେ ଭଲ ଗୀତ ଗାଇବା ସହ ନିଜେ ବିନା ଗୁରୁରେ ଢୋଲ ବଜାଇବା ବି ଶିଖି ଯାଇଥିଲେ। ଫଳରେ ସଂକୀର୍ତ୍ତନ ମଣ୍ଡଳୀରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ସଂଗୀତ ପରିବେଷଣ କରିବାରେ ତାଙ୍କୁ ଆଉ କଷ୍ଟ ହେଲା ନାହିଁ। ସେଥିରୁ ସେ କିଛି ରୋଜଗାର ବି କରିପାରିଲେ। ଏପରି କି ତାଙ୍କ ଗୀତ ଶୁଣି କେହି କେହି ତାଙ୍କୁ ଆର୍ଥତ୍କ ସହାୟତା ବି କରିବାକୁ ଲାଗିଲେ। ଆଉ ସେହି ରୋଜଗାର ଓ ସହାୟତାରେ ହିଁ ବର୍ତ୍ତମାନ ତାଙ୍କର ପରିବାର ଚଳୁଛି। ଧନେଶ୍ୱରଙ୍କର ବାପାମା’ ଓ ୨ ଭାଇ ବି ଅଛନ୍ତି। ହେଲେ ସେ କାହା ଉପରେ ନିର୍ଭର କରି ଚଳୁ ନାହାନ୍ତି। ନିଜ ସ୍ତ୍ରୀପିଲାଙ୍କ କଥା ନିଜେ ହିଁ ବୁଝୁଛନ୍ତି। ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଶାରୀରିକ ଓ ମାନସିକଭାବେ ସାହାଯ୍ୟ କରୁଛନ୍ତି ତାଙ୍କ ପତ୍ନୀ ସୁକାନ୍ତି। ସୁକାନ୍ତିଙ୍କର ଜନ୍ମ ଭଦ୍ରକ ଜିଲା ଅସୁରାଳିଠାରେ। ତାଙ୍କର ଜନ୍ମରୁ ବାମହାତଟି କହୁଣି ପାଖରୁ ନାହିଁ। ସେ ବି ଅବିବାହିତ ଥିଲାବେଳେ ଏକ ଶିଳ୍ପ ତାଲିମ ଶିକ୍ଷାକେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ହେଲେ ବିବାହ ପରେ ନିଜର ଦୃଷ୍ଟିହୀନ ସ୍ବାମୀଙ୍କ ଦେଖାଚାହାଁ କରିବା ପାଇଁ ସେ ଚାକିରି ଛାଡିଦେଲେ। ସୁକାନ୍ତି ଗୋଟିଏ ହାତରେ ଘର ଓ ତାଙ୍କ ପୁଅର ସମସ୍ତ କାମ କରିବା ସହ ଦୃଷ୍ଟିହୀନ ସ୍ବାମୀଙ୍କର ସାହାରା ପାଲଟି ଯାଇଛନ୍ତି। ଉଭୟଙ୍କୁ ମାସିକ ୫ ଶହ ଟଙ୍କା ଲେଖାଏ ସରକାରୀ ଭତ୍ତା ମିଳୁଛି। ହେଲେ ଦୁଃଖର କଥା ଭତ୍ତା ପାଉଥିବାରୁ ତାଙ୍କୁ ପୂର୍ବରୁ ମିଳୁଥିବା ମାଗଣା ୧୦ କି.ଗ୍ରା. ଚାଉଳ ଆଉ ବର୍ଷେ ହେଲା ମିଳୁନାହିଁ। ତଥାପି ସେମାନେ ଭାଙ୍ଗି ପଡି ନାହାନ୍ତି। ସବୁ ସୁଖଦୁଃଖକୁ ହସି ହସି ସହିବାକୁ ସେମାନେ ଯେମିତି ନିଜକୁ ପ୍ରସ୍ତୁତ କରି ନେଇଛନ୍ତି। ଆଉ ଭଗବାନଙ୍କୁ କେବଳ ଗୋଟିଏ ପ୍ରାର୍ଥନା କରୁଛନ୍ତି, ତାଙ୍କ ପୁଅକୁ ସହାୟ ହୋଇ ତାକୁ ଭଲ ମଣିଷ କରିବା ପାଇଁ ।
ନିବିଡ଼ ଭଲ ପାଇବା ହିଁ ଦିଲୀପ ଓ ଅନୀତାଙ୍କୁ ଦୃଢ କରିଛି: ଜଗତ୍‌ସିଂହପୁର ଜିଲା ଗଉଡୁଣିପଡିଆ ପୋଷ୍ଟ ଅନ୍ତର୍ଗତ ବାଜପୁର ଗାଁର ଦିଲୀପ କୁମାର ସାହୁ। ୬ ଭାଇଭଉଣୀ ଭିତରେ ସେ ସବାସାନ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଦୁର୍ଭାଗ୍ୟବଶତଃ ଜନ୍ମରୁ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ହେଲେ ପାଠପଢା ଓ ସୁମଧୁର ଗୀତ ବୋଲିବାରେ କିନ୍ତୁ ସେ ପୂରା ମାହିର। ଦିଲୀପ ଯେତେବେଳେ ଏସ୍‌.ଭି.ଏମ୍‌. କଲେଜରେ ପାଠ ପଢୁଥିଲେ ସେତେବେଳେ ଏକ ବର୍ଷ ପାଇଁ ସେ ଡ୍ରାମାଟିକ୍‌ ସେକ୍ରେଟାରୀ ବି ହୋଇଥିଲେ। କଲେଜ ପଢାପରେ କେତେଜଣ ଦୃଷ୍ଟିହୀନ ପିଲାମାନଙ୍କୁ ନେଇ ଆରମ୍ଭ ହୋଇଥିବା ଏକ ଅର୍କେଷ୍ଟ୍ରା ଟିମ୍‌ରେ ସେ ଗୀତ ଗାଇବାକୁ ଲାଗିଲେ। ସେହି ଅର୍କେଷ୍ଟ୍ରା ଟିମ୍‌କୁ ଅନୀତା ବାରିକ ନାମ୍ନୀ ଜଣେ ଦୃଷ୍ଟିହୀନ ଝିଅ ବି ଆସୁଥିଲେ ଗୀତ ଗାଇବା ପାଇଁ। ଅନୀତାଙ୍କ ଘର ଥିଲା କଟକର ଖପୁରିଆ ଲେବର କଲୋନୀରେ। ଧୀରେ ଧୀରେ ଦିଲୀପ ଓ ଅନୀତାଙ୍କ ଭିତରେ ବନ୍ଧୁତା ସ୍ଥାପନା ହେଲା। ଆଉ ଏହି ବନ୍ଧୁତା କେତେବେଳେ ଭଲ ପାଇବାରେ ପରିଣତ ହୋଇଗଲା ତାହା ଉଭୟଙ୍କୁ ବି ଜଣା ନ ଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ହେଲେ ଉଭୟଙ୍କ ପରିବାରର ବିରୋଧ ସେମାନଙ୍କ ଚଲାପଥରେ ବାଧକ ସାଜିଲା। ସେଥିପାଇଁ ସେମାନେ କୋର୍ଟ ମ୍ୟାରେଜ କରିବାକୁ ବାଧ୍ୟହେଲେ। ତଥାପି ବି ସେମାନଙ୍କ ବିବାହକୁ ପରିବାରବର୍ଗ ସମର୍ଥନ କଲେନାହିଁ, ଯେଉଁଥିପାଇଁ ଦିଲୀପ ଓ ଅନୀତାଙ୍କୁ ପୁଣି ଅଲଗା ରହିବାକୁ ପଡିଲା। କିଛିଦିନ ପରେ ଦିଲୀପ ଏକ ଟ୍ରେନ୍‌ ଦୁର୍ଘଟଣାର ସମ୍ମୁଖୀନ ହେଲେ। ଏହି ଦୁର୍ଘଟଣାରେ ଦିଲୀପଙ୍କର ବାମ ହାତ ଓ ବାମ ଗୋଡ କଟିଗଲା। ପରିବାର ଲୋକେ ତାଙ୍କୁ ନେଇ କିମ୍ସ ମେଡିକାଲ୍‌ରେ ଚିକିତ୍ସା କରାଇଲେ। ଦିଲୀପଙ୍କର ଏପରି ଦୁଃଖଦ ଅବସ୍ଥା ଓ ତାଙ୍କ ପରିବାରର ଦୁର୍ବଳ ଆର୍ଥତ୍କ ଅବସ୍ଥାକୁ ଦେଖି ଡ.ଅଚ୍ୟୁତ ସାମନ୍ତ ତାଙ୍କର ମାଗଣା ଚିକିତ୍ସା କରାଇବାର ସମସ୍ତ ବନ୍ଦୋବସ୍ତ କରିଦେଲେ। ଚିକିତ୍ସା ସିନା ମାଗଣାରେ ହୋଇଗଲା ହେଲେ ସାରା ଜୀବନ ଦିଲୀପଙ୍କର ସେବା ଶୁଶ୍ରୂଷା କରିବ କିଏ ସେ ନେଇ ପରିବାର ଲୋକଙ୍କର ଚିନ୍ତା ବଢିଲା। ଏହି ସମୟରେ ଦିଲୀପଙ୍କର ଦୁଇ ସାଙ୍ଗ ଅମ୍ବୁଜ ବିଶୋଇ ଓ ଜ୍ଞାନରଞ୍ଜନ ଲେଙ୍କା ତାଙ୍କ ପରିବାର ଲୋକଙ୍କୁ ବହୁତ ବୁଝାଇଥିଲେ ଆଉ କହିଥିଲେ, ଦିଲୀପ ଓ ଅନୀତା ଯେହେତୁ କୋର୍ଟ ମ୍ୟାରେଜ କରିସାରିଛନ୍ତି, ତେଣୁ ଅନୀତାଙ୍କୁ ବୋହୂ ଭାବେ ସ୍ବୀକାର କରି ନେବାକୁ। ଏହାଦ୍ୱାରା ଦିଲୀପଙ୍କୁ ଜଣେ ସାହାରା ମିଳିଯିବ ଜୀବନ ଜିଇବା ପାଇଁ। ବହୁ କଷ୍ଟରେ ତାଙ୍କ ପରିବାର ଲୋକେ ରାଜି ହୋଇଥିଲେ। ଆଉ ସେ ଯେଉଁଦିନ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ସେଦିନ ତାଙ୍କ ସାଙ୍ଗରେ ସ୍ତ୍ରୀ ଅନୀତା ବି ତାଙ୍କ ଘରକୁ ଯାଇଥିଲେ। ୨୦୧୮ ଜାନୁୟାରୀ ୨୧ରେ ତାଙ୍କର ବୈଦିକ ରୀତିରେ ବିବାହ ମଧ୍ୟ ହୋଇଥିଲା। ତେବେ ଦିଲୀପ ଯେତେବେଳେ ମେଡିକାଲ୍‌ରେ ଥିଲେ ସେତେବେଳେ ଡ. ସାମନ୍ତ ଦିଲୀପ ଓ ତାଙ୍କର ଦୃଷ୍ଟିହୀନ ପତ୍ନୀ ଅନୀତାଙ୍କ ଚଳିବା ପାଇଁ ଅନୀତାଙ୍କୁ କିସ୍‌ରେ ଚାକିରି ଦେବେ ବୋଲି ଘୋଷଣା କରିଥିଲେ। ତା’ପରେ ସେ ନିଜେ ଚିନ୍ତା କଲେ ଯେ, ଦୁଇଜଣ ସ୍ବଳ୍ପ ଦରମାରେ ଭୁବନେଶ୍ୱରରେ ରହିବା ଅସମ୍ଭବ। ସେଥିପାଇଁ ଦିଲୀପଙ୍କୁ ମଧ୍ୟ ସେ ଚାକିରି ଦେବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ଦିଲୀପ ଉକ୍ତ ଶିକ୍ଷାନୁଷ୍ଠାନର କଲ୍‌ଚରାଲ୍‌ ଡିପାର୍ଟମେଣ୍ଟରେ ସଙ୍ଗୀତ ଶିକ୍ଷକ ଭାବେ ଓ ଅନୀତା ସେଠାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ଆଉ ଭୁବନେଶ୍ୱରର ପଥର ଗାଡ଼ିଆରେ ଘରଭଡ଼ା ନେଇ ନିଜର ଦେଢବର୍ଷର ପୁଅ ଦିବ୍ୟାଂଶୁ ସହ ଖୁସିରେ ଜୀବନ ଜିଉଛନ୍ତି। ସେମାନଙ୍କ ନିବିଡ଼ ଭଲ ପାଇବା ଆଗରେ ଭିନ୍ନକ୍ଷମତା ବି ହାର୍‌ ମାନି ଯାଇଛି। ପାଦରେ ପାଦ ମିଶାଇ ତାଙ୍କର ସଂସାର ରଥକୁ ଆଗକୁ ଟାଣି ନେବାକୁ ସେମାନେ ଯେଉଁ ଦୃଢ ସଂକଳ୍ପ ନେଇଛନ୍ତି ତାହାକୁ ନ ଦେଖିଲେ କେହି ବି ବିଶ୍ୱାସ କରିପାରିବେ ନାହିଁ।

ବିନୋଦ ଓ ଲକ୍ଷ୍ମୀଙ୍କ ନିଆରା ପ୍ରେମକାହାଣୀ: ପଞ୍ଜାବର ମୋହାଲି ଜିଲାର ବାସିନ୍ଦା ହେଲେ ବିନୋଦ ଓ ଲକ୍ଷ୍ମୀ। ବିନୋଦଙ୍କର ଗୋଟିଏ ଗୋଡ ଆଦୌ କାମ କରେ ନାହିଁ। ସେ ଆଶାବାଡି ସାହାଯ୍ୟରେ ଚଲାବୁଲା କରିଥାନ୍ତି। ସେହିପରି ଲକ୍ଷ୍ମୀଙ୍କର ଜନ୍ମରୁ ହିଁ ନା ଦୁଇ ଗୋଡ ଅଛି ନା ହାତ। ଲକ୍ଷ୍ମୀଙ୍କର ଭବିଷ୍ୟତକୁ ନେଇ ତାଙ୍କ ମା’ ବେଶ୍‌ ଚିନ୍ତିତ ଥିଲେ। ହେଲେ କିଏ ଜାଣିଥିଲା ଲକ୍ଷ୍ମୀଙ୍କ ଜୀବନରେ ବିନୋଦ ଭଳି ଏତେ ସ୍ନେହୀ ପିଲା ଜୀବନସାଥୀ ହୋଇ ଆସିବେ ବୋଲି। ଏହାକୁ ଭଗବାନଙ୍କର ବିଚିତ୍ର ଲୀଳା ହିଁ କୁହାଯାଇପାରେ। ଲକ୍ଷ୍ମୀ ପ୍ରତିଦିନ ଯେଉଁ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲେ, ସେଠାକୁ ଦିନେ ବିନୋଦ ବି ଯାଇଥିଲେ। ପ୍ରଥମ ଦେଖାରେ ହିଁ ଲକ୍ଷ୍ମୀ ଓ ବିନୋଦଙ୍କ ଭିତରେ ବନ୍ଧୁତା ସ୍ଥାପନା ହୋଇ ଯାଇଥିଲା। ଆଉ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେବାକୁ ଲାଗିଲା। ପ୍ରତିଦିନ ମନ୍ଦିରରେ ସେମାନେ ଦେଖା ହେଉଥିଲେ। ପ୍ରାୟ ଦେଢବର୍ଷ ଏମିତି ବିତିବା ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା କରି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଲେ। ଉଭୟଙ୍କ ପରିବାର ଲୋକେ ବି ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ସେମାନଙ୍କର ବିବାହ କରାଇ ଦେଲେ। ସେବେଠାରୁ ସେମାନେ ପରସ୍ପରର ସୁଖଦୁଃଖର ସାଥୀ ହୋଇ ଖୁସିରେ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ଆଉ ତାଙ୍କର ଏହି ପ୍ରେମ ସମ୍ପର୍କ ବିଷୟରେ ଯିଏ ଶୁଣୁଛି, ସେ କହୁଛି ସତରେ ବିନୋଦ ଓ ଲକ୍ଷ୍ମୀଙ୍କର ଏହା ହେଉଛି ଏକ ନିଆରା ପ୍ରେମକାହାଣୀ।

ପ୍ରେମ ଓ ବିଶ୍ୱାସରେ ଜିଓଙ୍ଗ ଓ ଓ୍ବେନ୍‌ଜୁଆନ୍‌ଙ୍କ ଜୀବନ ବିତୁଛି: ଚାଇନାର ଜିଓଙ୍ଗ ଜିନ୍‌ ଜେନ ଏବଂ ୟେ ଓ୍ବେନ୍‌ଜୁଆନ୍‌ । ଜିଓଙ୍ଗଙ୍କୁ ଏବେ ବୟସ ପାଖାପାଖି ୭୪ ବର୍ଷ ଏବଂ ତାଙ୍କ ପତ୍ନୀ ଓ୍ବେନ୍‌ଜୁଆନ୍‌ଙ୍କୁ ୬୭ ବର୍ଷ ହେବ। ଜିଓଙ୍ଗଙ୍କର ଜନ୍ମରୁ କାନକୁ କିଛି ଶୁଭେନାହିଁ ଏବଂ ତାଙ୍କ ପତ୍ନୀ ଓ୍ବେନ୍‌ଜୁଆନ୍‌ ଆଜକୁ ପ୍ରାୟ ୩୭ ବର୍ଷ ହେବ ଏକ ସଂକ୍ରମଣ ରୋଗର ଶିକାର ହୋଇ ଚଲାବୁଲା କରିପାରୁ ନାହାନ୍ତି। ହ୍ବିଲ୍‌ଚେୟାର୍‌ରେ ତାଙ୍କୁ ନେବା ଆଣିବା କରିବାକୁ ହୋଇଥାଏ। ଶାରୀରିକ ଅକ୍ଷମତା ସତ୍ତ୍ୱେ ଜିଓଙ୍ଗ ଓ ଓ୍ବେନ୍‌ଜୁଆନ୍‌ଙ୍କ ମଧ୍ୟରେ ରହିଛି ଗଭୀର ଭଲପାଇବା। ଗୋଟେ ମୁହୂର୍ତ୍ତ ପାଇଁ ବି ସେମାନେ କେହି କାହାକୁ ଛାଡି ରହିପାରନ୍ତି ନାହିଁ। ଜିଓଙ୍ଗ ଘରର ସବୁ କାମ ଯେମିତି କି ରୋଷେଇବାସ, ଘରକୁ ପରିଷ୍କାର ରଖିବା, ଲୁଗା ସଫାକରିବା ଇତ୍ୟାଦି କାମ ବେଶ୍‌ ଖୁସିରେ କରିଥାନ୍ତି। ଯେହେତୁ ଜିଓଙ୍ଗକୁ କିଛି ଶୁଭେ ନାହିଁ ତେଣୁ ବାର୍ତ୍ତାଳାପର ସମସ୍ତ କାମ ଓ୍ବେନ୍‌ଜୁଆନ୍‌ କରିଥାନ୍ତି। ଏପରି କି ଶପିଂ ପାଇଁ ବାହାରକୁ ଗଲେ ବି ଜିଓଙ୍ଗ୍‌ ଓ୍ବେନ୍‌ଜୁଆନ୍‌ଙ୍କୁ ହ୍ବିଲ୍‌ଚେୟାର୍‌ରେ ବସାଇ ସାଙ୍ଗରେ ନେଇଥାନ୍ତି। ଫଳରେ ଦୋକାନରୁ ଜିନିଷପତ୍ର କ’ଣ କିଣାଯିବ, କେତେ ଟଙ୍କା ହେଲା, ରାସ୍ତାରେ ଗଲାବେଳେ ଗାଡି ମୋଟରର ଶବ୍ଦକୁ ଶୁଣି ଠିକ୍‌ରେ ଯିବାପାଇଁ ଜିଓଙ୍ଗଙ୍କୁ ସଚେତନ କରାଇବା ଆଦି କାମ ଓ୍ବେନ୍‌ଜୁଆନ୍‌ ସମ୍ଭାଳି ନେଇଥାନ୍ତି। ଏହିପରି ଭାବେ ସେମାନେ ପ୍ରତିଦିନର ସମସ୍ୟାକୁ ସମାଧାନ କରି ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରି ଚାଲିଛନ୍ତି। ଏତେ ପରିଣତ ବୟସରେ ବି ସେମାନଙ୍କ ଭିତରେ ଥିବା ଏହି ନିବିଡ ଭଲପାଇବାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସ୍ବାଭାବିକ।

ଶେଷରେ କେବଳ ଏତିକି କୁହାଯାଇପାରେ, ସୁଖୀ ଦାମ୍ପତ୍ୟ ପାଇଁ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସକ୍ଷମ ହେବା ହୁଏତ ସେତେ ଜରୁରୀ ନ ହୋଇପାରେ। ହେଲେ ପତ୍ନୀପତିଙ୍କ ଭିତରେ ଅତୁଟ ଭଲପାଇବା, ବିଶ୍ୱାସ ରହିବା ସହ ମନ ସଙ୍ଗେ ମନ ମିଶିବା ନିହାତି ଆବଶ୍ୟକ।
-ଅମ୍ବ୍ରିତା
ତଥ୍ୟ-ଭାସ୍କର ରାଉତରାୟ
ଦୀପ୍ତିରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri