Categories: ଜାତୀୟ

ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୧୭ା୮: ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହ ତୁରନ୍ତ ସଂଯୋଗ କରିବା ଲାଗି ନିର୍ବାଚନ କମିଶନ (ଇସି) ଆଇନଗତ କ୍ଷମତା ଚାହୁଁଛନ୍ତି। ସେଥିପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ କରିବାକୁ ଇସି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜାଲ୍‌ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଆଧାର ନମ୍ବର ସହ ସେମାନଙ୍କ ପରିଚୟ ଯାଞ୍ଚ ହେବା ଆବଶ୍ୟକ। ତେଣୁ ଜନପ୍ରତିନିଧି ଆଇନ, ୧୯୫୦ ଏବଂ ଆଧାର ଆଇନ, ୨୦୧୬ରେ ଆବଶ୍ୟକ ସଂଶୋଧନ କରିବାକୁ ଇସି ଆଇନ ମନ୍ତ୍ରଣାଳୟକୁ ଜଣାଇଛନ୍ତି। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏହାକୁ ଆଧାର ସହ ଲିଙ୍କ୍‌ କରାଯିବା ଜରୁରୀ ବୋଲି କମିଶନ କହିଛନ୍ତି। ଭବିଷ୍ୟତରେ ଏହା ଭୋଟଦାନ ଓ ଭୋଟର ପରିଚୟ ଯାଞ୍ଚ ଲାଗି ନୂଆ ପ୍ରଯୁକ୍ତି ଉଦ୍‌ଭାବନରେ ସହାୟକ ହୋଇପାରିବ।
ବର୍ତ୍ତମାନର ଆଇନ ଅନୁଯାୟୀ ଆଧାରକୁ ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ସମ୍ଭବ ନୁହେଁ। ସୁପ୍ରିମକୋର୍ଟଙ୍କ ୨୦୧୮ ଆଧାର ରାୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଥିବା ଇସି ଜାଣିବାକୁ ପାଇଛନ୍ତି। ତେବେ ଭୋଟରମାନଙ୍କ ଗୋପନୀୟତାର ସୁରକ୍ଷା ପାଇଁ ଆଧାର ନମ୍ବରକୁ ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ ବୋଲି ଇସି ସ୍ପଷ୍ଟ କରିଛନ୍ତି। ୨୦୧୫ ଫେବୃୟାରୀରେ ପ୍ରଥମେ ଇସି ଆଧାର ଓ ଭୋଟର ପରିଚୟପତ୍ର ଲିଙ୍କ୍‌ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଥିଲେ ଏଚ୍‌. ଏସ୍‌. ବ୍ରହ୍ମା। ତେବେ ଆଧାରକୁ ସାଧାରଣ ବଣ୍ଟନ ବ୍ୟବସ୍ଥା, ଏଲ୍‌ପିଜି ଓ କିରୋସିନ ବଣ୍ଟନ ବ୍ୟତୀତ ଅନ୍ୟ କେଉଁଥିରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସେହିବର୍ଷ କହିବା ପରେ ଇସିଙ୍କ ଯୋଜନା ଅଟକି ରହିଥିଲା। ସେତେବେଳକୁ ୩୮ କୋଟି ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ହୋଇସାରିଥିଲା।

Share