ଭୋକଉପାସରେ ଦିନ କାଟୁଛନ୍ତି ଅସହାୟ ମହିଳା

ବନ୍ତ,୧୦।୫(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ବହୁ ଲୋକ ଅସହାୟ ହୋଇପଡ଼ିଛନ୍ତି। ଦିନକୁ ଦୁଇ ଓଳି ଖାଇବାକୁ ପାଉ ନାହାନ୍ତି। ଭଦ୍ରକ ଜିଳା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ସାବିତ୍ରୀ ଯେନା ନାମ୍ନୀ ଜଣେ ମହିଳା ଭୋକ ଉପାସରେ ଦିନ କାଟୁଛନ୍ତି। ପରିବାର ବୋଲି ତାଙ୍କର କେହିନାହାନ୍ତି।  ଜମିବାଡି ନ ଥିବା ସ୍ଥଳେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ତାଙ୍କର ନାହିଁ। ରାଶନକାର୍ଡ ଖଣ୍ଡେ ଅଛି। କେବଳ ମାସକୁ ୫କିଗ୍ରା ଚାଉଳ ପାଉଛନ୍ତି। ପର ଘରେ ଗାଈ ଗୁହାଳ ପୋଛିବା କାମ କରି ପେଟ ପୋଷିଥାନ୍ତି। ଏବେ ଲକ୍‌ଡାଉନ୍‌ ପରିସ୍ଥିତି ଯୋଗୁ କେହି ତାଙ୍କୁ କାମଧନ୍ଦା କରାଇ ଦେଉନାହାନ୍ତି। ଫଳରେ ଭୋକ ଉପାସରେ ରହୁଛନ୍ତି। ତାଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ। ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।