Categories: ବାଣିଜ୍ୟ

ଭେଣ୍ଡର ବକେୟା ଶୀଘ୍ର ପ୍ରଦାନ ନେଇ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯-୯: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ଆସନ୍ତା ମାସ ୧୫ ସୁଦ୍ଧା ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ସମସ୍ତ ବକେୟା ପ୍ରଦାନ କରିବା ଲାଗି ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶର ଅଭିବୃଦ୍ଧି ସର୍ବନିମ୍ନ ସ୍ତରରେ ରହିଛି। ଏହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ କ୍ଷେତ୍ରର ଖର୍ଚ୍ଚ ବୃଦ୍ଧି ଦ୍ୱାରା ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ସରକାର ଏଭଳି ଏକ ପ୍ରୟାସ କରିଥିବା ଜଣାପଡିଛି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମୁଖ୍ୟମାନଙ୍କ ସହ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୈଠକ କରିବା ସହ ସଂସ୍ଥାଗୁଡିକର ପୁଞ୍ଜି ବିନିଯୋଗ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି।

ଏହି ଅବସରରେ ନିର୍ମଳା କହିଛନ୍ତି ଯେ, ଅକ୍ଟୋବର ୧୫ ସୁଦ୍ଧା ଏକ ପୋର୍ଟାଲ ବ୍ୟବସ୍ଥା କରିବାକୁ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକୁ କୁହାଯାଇଛି। ଏଠାରେ ସେବା ଯୋଗାଣକାରୀ, ଭେଣ୍ଡର ଏବଂ କଣ୍ଟ୍ରାକ୍ଟରମାନେ ସେମାନଙ୍କ ପେମେଣ୍ଟ ଏବଂ ବିଲ୍‌କୁ ଟ୍ରାକ କରିବାକୁ ସକ୍ଷମ ହେବେ। ଏହା ଦ୍ୱାରା ନଗଦ ସମସ୍ୟା ହ୍ରାସ କରାଯାଇ ପାରିବ ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି। ସେହିଭଳି ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ସହ ଦ୍ୱନ୍ଦ୍ୱ ଯୋଗୁ ଫଇସଲା ହୋଇ ପାରି ନ ଥିବା ପେମେଣ୍ଟ ସମ୍ପର୍କିତ ବୁଝାମଣାରେ କେତେ ସମୟ ଲାଗୁଛି ତାର ବିସ୍ତୃତ ତଥ୍ୟ ଉପରେ ସଂସ୍ଥାଗୁଡିକର ପକ୍ଷ ଲୋଡା ଯାଇଛି।

ଆଗାମୀ ୪ ତ୍ରୈମାସ ଲାଗି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ସେମାନଙ୍କ ଖର୍ଚ୍ଚ ସଂକ୍ରାନ୍ତ ଯୋଜନା ପ୍ରଦାନ କରିବାକୁ କୁହାଯାଇଛି। ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି, ୩୪ କେନ୍ଦ୍ରୀୟ ସଂସ୍ଥା ଅଗଷ୍ଟ ମାସ ଶେଷ ସୁଦ୍ଧା ୪୮,୦୭୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କମ୍ପାନୀଗୁଡିକ ଆଉ ୫୦,୧୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ସେହିଭଳି ଜାନୁୟାରୀ ମାର୍ଚ୍ଚ ତ୍ରୈମାସରେ କମ୍ପାନୀଗୁଡିକ ୫୪,୭୦୦ କୋଟି ଟଙ୍କା ବିନିଯୋଗ କରିବେ। ଏଥିରେ ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଯେ, ୨୪୨ ରାଷ୍ଟ୍ରାୟତ୍ତ ସଂସ୍ଥାର ମୋଟ ଖର୍ଚ୍ଚ ମିଶିଲେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହେବ।

Share