ଭୁଲ ଇଞ୍ଜେକ୍‌ଶନରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ମେଡିକାଲରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଇଞ୍ଜେକ୍‌ଶନ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ମେଡିକାଲ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଅସ୍ବୀକାର କରିବା ସହ ହଠାତ୍‌ ହୃଦ୍‌ଘାତ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସଫେଇ ଦେଇଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ବାଳୁଅକଟାର ଗାଡ଼ି ଚାଳକ ପ୍ରକାଶ ବେହେରା ଅସୁସ୍ଥ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ଗ୍ୟାସଷ୍ଟିକ ହୋଇଛି ବୋଲି କହିବା ସହ ତାଙ୍କୁ ଆଡମିଶନ୍‌ କରାଇଥିଲେ। ଦିନ ତମାମ ଚିକିତ୍ସା ପରେ ସନ୍ଧ୍ୟାରେ ତାଙ୍କୁ ଏକ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଏହାପରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା। ଭୁଲ ଇଞ୍ଜେକ୍‌ଶନ କାରଣରୁ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଗାଡ଼ି ଚାଳକ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ମେଡିକାଲରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଏହାପରେ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲା। ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା।