ଭୁଲ୍‌ ଇଞ୍ଜେକ୍‌ସନ୍‌ ନେଲା ଛାତ୍ରଙ୍କ ଜୀବନ: ପରିବାର ଲୋକେ ଆଣିଲେ ଅଭିଯୋଗ

ଭଦ୍ରକ ଅଫିସ,୨୯।୧୧: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧିନସ୍ଥ ଘଣ୍ଟେଶ୍ୱରୀ ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁରେଶ କୁମାର ବାରିକଙ୍କ ଗୁରୁବାର ଅପରାହ୍ନରେ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁଲ ଇଞ୍ଜେକ୍‌ସନ୍‌ ଯୋଗୁ ସୁରେଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୁରେଶଙ୍କୁ ଜ୍ୱର ହେବାରୁ ପରିବାର ଲୋକେ ଘଣ୍ଟେଶ୍ୱର ବଜାରସ୍ଥିତ ଏକ କ୍ଲିନିକରେ ଚିକିତ୍ସା କରାଇଥିଲେ। କ୍ବାକ୍‌ ଏକ ଏଞ୍ଜେକସନ ଦେଇଥିଲେ। ଫଳରେ ତାଙ୍କର ବାନ୍ତି ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ଭଦ୍ରକ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଭଦ୍ରକ ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ସଂପୃକ୍ତ କ୍ୱାକ୍‌ ଜଣକ କ୍ଲିନିକ୍‌ରେ ତାଲା ପକାଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।