Categories: ଫୁରସତ

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ ରହିଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି କୌଣସି ବ୍ୟକ୍ତିଙ୍କର ଯେଉଁ ଅଙ୍ଗ ଯେଉଁଠି ରହିବା କଥା ସେଠି ନ ରହି ଭୁଲ୍‌ ସ୍ଥାନରେ ରହିଛି ବୋଲି। ଯଦି ନା, ତେବେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌ ସ୍ଥାନରେ ରହିଛି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର କୁଶୀନଗରରେ ରହୁଥିବା ଜମାଲୁଦ୍ଦିନ୍‌। ସେ ସାଧାରଣ ମଣିଷ ପରି । କିନ୍ତୁ ତାଙ୍କର କିଛି ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌ ସ୍ଥାନରେ ରହିଛି। ତାଙ୍କର ହାର୍ଟ(ହୃଦୟ) ଡାହାଣ ପଟରେ ଥିବାବେଳେ ଲିଭର(ଯକୃତ) ଏବଂ ଗଲ୍‌ବ୍ଲାଡର(ପୀତକୋଷ) ବାମପଟରେ ରହିଛି। ଏହି କଥା ସମସ୍ତଙ୍କୁ ଚକିତ କରିଦେବ। ଦିନେ ଜମାଲୁଦ୍ଦିନ୍‌ଙ୍କ ପେଟରେ ଖୁବ୍‌ ଯନ୍ତ୍ରଣା ହେବାରୁ ସେ ଗୋରଖପୁରର ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଅଲ୍‌ଟ୍ରାସାଉଣ୍ଡ୍‌ ରିପୋର୍ଟ ଆସିଲା, ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ଦୀକ୍ଷିତ୍‌ ଜଣେ ବେରିଆଟ୍ରିକ୍‌ ଲାପ୍ରୋସ୍କୋପି ସର୍ଜନ। ସେ କୁହନ୍ତି, ଜମାଲୁଦ୍ଦିନ୍‌ଙ୍କ ଗଲ୍‌ବ୍ଲାଡରରୁ ପଥର ବାହାରିଲା ସତ କିନ୍ତୁ ଏହା ବାମପଟରେ ଥିବାରୁ ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ଥିଲା।

Share