Categories: ଜାତୀୟ

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା ଉକ୍ତ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥାରୁ ସରକାର ପୁଞ୍ଜିପ୍ରତ୍ୟାହାର କରୁଥିବାବେଳେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ଭିଭିଆଇପିଙ୍କ ଉପରେ ନ୍ୟାଶନାଲ କ୍ୟାରିୟରର କେତେ ଟଙ୍କା ବାକି ଅଛି ବୋଲି ଅବସରପ୍ରାପ୍ତ କମୋଡର ଲୋକେଶ ବାତ୍ରା ଆର୍‌ଟିଆଇରେ ଏୟାର ଇଣ୍ଡିଆକୁ ତଥ୍ୟ ମାଗିଥିଲେ। ୨୦୧୯ ନଭେମ୍ବର ୩୦ ସୁଦ୍ଧା ଭିଭିଆଇପିମାନଙ୍କ ଉପରେ ଚାର୍ଟର ବିମାନ ଭଡ଼ା ବାବଦରେ ୮୨୨ କୋଟି ଟଙ୍କା ବକେୟା ଥିବା ବିମାନ ଚଳାଚଳ ସଂସ୍ଥା ଉତ୍ତର ଦେଇଛି। ସେହିପରି ଜରୁରୀ ସମୟରେ ପ୍ରଭାବିତଙ୍କୁ ସ୍ଥାନାନ୍ତର ଲାଗି ବ୍ୟବହୃତ ବିମାନ ଖର୍ଚ୍ଚ ବାବଦରେ ୯.୬୭ କୋଟି ଏବଂ ବିଦେଶୀ ଅତିଥିଙ୍କୁ ନେବାଆଣିବାରେ ୧୨.୬୫ କୋଟି ଟଙ୍କା ବକେୟା ରହିଥିବା ଏଥିରେ ସୂଚନା ଦିଆଯାଇଛି। ଭିଭିଆଇପି ଚାର୍ଟର ଫ୍ଲାଇଟ୍ସ ଅଧୀନରେ ଏୟାର ଇଣ୍ଡିଆ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବିମାନ ଦେଇଥାଏ। ଏହି ବିମାନ ଖର୍ଚ୍ଚର ଦେୟ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ପଇଠ କରାଯାଇଥାଏ। କେବଳ ଭିଭିଆଇପି ଚାର୍ଟର ଫ୍ଲାଇଟ୍ସର ବିଲ୍‌ ବକେୟା ରହିଛି ତାହା ନୁହେଁ, ବରଂ ସରକାରୀ ଅଧିକାରୀମାନଙ୍କ ଯାତ୍ରା ପାଇଁ ଟିକେଟ ବାବଦକୁ ମଧ୍ୟ ଅର୍ଥ ପଇଠ କରାଯାଇ ନାହିଁ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହି ବାବଦ ବକେୟା ରାଶିର ପରିମାଣ ୫୨୪.୧୪ କୋଟି ଟଙ୍କା ରହିଛି। ଏଥିରୁ ୨୩୬.୧୬ କୋଟି ଟଙ୍କା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବକେୟା ଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏୟାରଲାଇନ୍ସ ଆହୁରି କହିଛି ଯେ, ପ୍ରାୟ ୨୮୧.୮୨ କୋଟି ଟଙ୍କା ଆଉ ଆଦାୟ ହେବ ନାହିଁ ବୋଲି ଧରି ନେଇ ଏୟାର ଇଣ୍ଡିଆର ଆକାଉଣ୍ଟ ଖାତାରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ୨୦୧୯ ଡିସେମ୍ବର ୫ ସୁଦ୍ଧା ଏୟାର ଇଣ୍ଡିଆର ନେଟ୍‌ କ୍ଷତିର ପରିମାଣ ୮, ୫୫୬.୩୫ କୋଟି ଟଙ୍କା ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅତ୍ୟଧିକ ସୁଧ ବୋଝ, ବିମାନ ଚଳାଚଳ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଭାରତୀୟ ଟଙ୍କା ଦୁର୍ବଳ ହେବା ଯୋଗୁ ବିନିମୟ ମୂଲ୍ୟ ଉପରେ ପ୍ରତିକୂଳ ପ୍ରଭାବକୁ ଏହି କ୍ଷତି ପାଇଁ ମୁଖ୍ୟତଃ ଦାୟୀ ବୋଲି ବୁଧବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share