Categories: ବାଣିଜ୍ୟ

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ଗତ ମାସରେ ଗିରଫ ହେବା ପରେ ତାଙ୍କୁ ଦକ୍ଷିଣ ପଶ୍ଚିମ ଲଣ୍ଡନର ଓ୍ବାଣ୍ଡସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ନୀରବଙ୍କୁ ଗିରଫ କରାଯାଇଥିଲା। ବ୍ରିଟେନର ନିୟମାନୁଯାୟୀ ଏଭଳି ମାମଲାରେ ବିଚାର ବିଭାଗୀୟ ହାଜତବାସ ୨୮ ଦିନ ପାଇଁ ହୋଇଥାଏ। ନୀରବଙ୍କ ପକ୍ଷରୁ ଆଗତ ଜାମିନ ଆବେଦନକୁ ଖାରଜ କରି ଚିଫ ମାଜିଷ୍ଟ୍ରେଟ ଇମା ଆର୍ବୁଥନଟ୍‌ କହିଥିଲେ ଯେ, ହୀରା ବ୍ୟବସାୟୀ ଆମତ୍ସପର୍ମଣ କରିବା ନେଇ ଯଥେଷ୍ଟ ସନ୍ଦେହ ରହିଛି। ପ୍ରାୟ ୧ରୁ ୨ ବିଲିୟନ ଡଲାର ଜାଲିଆତି ହୋଇଥିବାରୁ ଭାରତର ଚିନ୍ତାକୁ ଦେଖି ନୀରବଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ବିଚାରପତି କହିଥିଲେ। ଭାରତ ପକ୍ଷରୁ ମାମଲା ଲଢ଼ୁଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସ କହିଛି ଯେ, ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଜାମିନ ଖାରଜ ହେବା ପରେ ନୀରବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଆଗ୍ରହୀ। ତେବେ ଏ ସଂକ୍ରାନ୍ତରେ ଅଦ୍ୟାବଧି କୌଣସି ଆବେଦନ ହାଇକୋର୍ଟରେ ହୋଇନାହିଁ।

Share