ଭିଟାମାଟି ପାଇଁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱର ସଦର ତହସିଲ ଅଧୀନ ଚାନ୍ଦିପୁର ଶ୍ରୀକୋଣା, ହିଡ଼ିଗାଁ ଆଦି ଅଞ୍ଚଳରେ ଶହ ଶହ ବର୍ଷ ଧରି ଭୂମିହୀନ, ଆଦିବାସୀ, ଦଳିତ ଓ ଗରିବ ଲୋକମାନେ ରହିଆସୁଛନ୍ତି। ସେମାନଙ୍କୁ ସରକାରୀ ଜମିର ପଟ୍ଟା ଦିଆ ନ ଯାଇ ମାଫିଆମାନେ ପୋଲିସ ସହାୟତାରେ ହଟାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମ୍‌ୟୁ) ସହାୟତାରେ ସ୍ଥାନୀୟ ଲୋକେ ସୋମବାର ପୂର୍ବାହ୍ନରେ ଜମି ପଟ୍ଟା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୂମିହୀନଙ୍କୁ ଘରଡିହ ପଟ୍ଟା, ଫକୀରମୋହନ ମହାବିଦ୍ୟାଳୟ ନିକଟ ଜାହିରା ଜମି ଓ ବିକେଏମ୍‌ୟୁ ସଭାସ୍ଥଳୀ ଜମିର ସୁରକ୍ଷା ପାଇଁ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ଦାବିପତ୍ର ଦିଆଯାଇଥିଲା। ଅତିରିକ୍ତ ଜିଲାପାଳ ନାୟକ ଦାବିପତ୍ର ଗ୍ରହଣ କରି ଏହାର ତଦନ୍ତ କରି ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, ବାଲେଶ୍ୱର ଅଞ୍ଚଳ ସମ୍ପାଦକ ଯତୀନ କୁମାର ପାତ୍ର, ଭାରତୀୟ କ୍ଷେତ ମଜଦୁର ୟୁନିୟନ ନେତ୍ରୀ ସୁହାଗି ମାଝି, ତିଳୋତ୍ତମା ମାଝି, ବାସନ୍ତୀ ମାଝି, ଆରତୀ ସୋରେନ, ଲକ୍ଷ୍ମୀ ଟୁଡୁ, କାରି ମାଝୀ ଓ ଶୁକ ଟୁଡୁ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।