ଭିଜିଲାନ୍ସ ଜାଲରେ ମାଣିପୁର ଆର୍‌ଆଇ କାର୍ଯ୍ୟାଳୟ ପିଅନ: ଜମି ମ୍ୟୁଟେଶନ ପାଇଁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ ଅଫିସ/କଟକ ଅଫିସ, ୨୮|୬-ଜମି ମ୍ୟୁଟେଶନ ପାଇଁ ୧୨୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ କଲେଜ ନିକଟ ମାଣିପୁର ଆର୍‌ଆଇ କାର୍ଯ୍ୟାଳୟର ପିଅନ ଅଜୟ କୁମାର ପଟ୍ଟନାୟକ (୪୮)। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ. ୧୫/୧୯ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଅଦାଲତରେ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଶାଖା ଡିଏସ୍‌ପି ପ୍ରସନ୍ନ କୁମାର ସିହ୍ନା ସୂଚନା ଦେଇଛନ୍ତି।
ସିଆରିଆ ଗ୍ରାମର ଚିନ୍ତାମଣି ମହାନ୍ତି ମେ ମାସରେ ଗ୍ରାମରେ ୫ ଡେସିମିଲ ଜାଗା କିଣିଥିଲେ। ଏହାର ପଟ୍ଟା କରିବା ଲାଗି ମ୍ୟୁଟେଶନର ଆବଶ୍ୟକତା ପଡ଼ିଥିଲା। ଏଥିଲାଗି ସେ ବାରମ୍ବାର ଆର୍‌ଆଇ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇଥିଲେ। ହେଲେ ୧୨୦୦ଟଙ୍କା ଲାଞ୍ଚ ଦେଲେ ମ୍ୟୁଟେଶନ କରାଇଦେବେ ବୋଲି ଅଜୟ କହିଥିଲେ। ଏହାପରେ ଚିନ୍ତାମଣି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅଜୟଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ। ଯୋଜନା ମୁତାବକ ଗୁରୁବାର ଚିନ୍ତାମଣିଙ୍କଠାରୁ ୧୨୦୦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଅଜୟଙ୍କୁ ମାଡ଼ି ବସିଥିଲେ। କୁଞ୍ଜକାନ୍ତସ୍ଥିତ ଅଜୟ ରହୁଥିବା ଘର, ସଦର ଥାନା ଗୋବିନ୍ଦପୁର ଫାଣ୍ଡି ନଡିଆଳି ପଞ୍ଚାୟତର ରେଗେଡ଼ାସ୍ଥିତ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିସହ ଜମିଜମା ମ୍ୟୁଟେଶନ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ସୁଶାନ୍ତ ମିଶ୍ର, କର୍ମଚାରୀ ଶ୍ରୀନିବାସ ବିଶ୍ୱାଳ, ପ୍ରଦୀପ ପାତ୍ର ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।
ସେହିପରି ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧୀନରେ ଥିବା କଣ୍ଟାମାଳ କେନ୍ଦୁପତ୍ର ଉପଖଣ୍ଡର ପରିଚାଳକ ବିକ୍ରମ କୁମାର ସାହୁଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। କଣ୍ଟାମାଳ ଥାନା ଅଧୀନ ରୁଣ୍ଡିମହୁଲ ଗ୍ରାମର ସତ୍ୟନାରାୟଣ ଖଟୁଆଙ୍କଠାରୁ ସାହୁ ଏହି ଲାଞ୍ଚଟଙ୍କା ଗ୍ରହଣ କରୁଥିଲେ।