ଭିକ ମାଗି ସମାଜସେବା କରୁଥିବା ରାଜୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଭିକ ମାଗି ସମାଜସେବା କରୁଥିବା ପଞ୍ଜାବର ପଠାଣକୋଟ ବାସିନ୍ଦା ରାଜୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ରାଜୁ ନିଜେ ଦିବ୍ୟାଙ୍ଗ। ସେ ଭିକ ମାଗି ଚଳିଥାନ୍ତି। ତେବେ କରୋନା ମହାମାରୀ ସଙ୍କଟରେ ତାଙ୍କ ହୃଦୟ ଅନ୍ୟ ଲୋକଙ୍କ ପାଇଁ କାନ୍ଦି ଉଠିଛି। ଇତିମଧ୍ୟରେ ରାଜୁ ଭିକମାଗି ୧୦୦ରୁ ଅଧିକ ପରିବାରଙ୍କୁ ଏକ ମାସର ରାଶନ ଯୋଗାଇଦେବା ସହିତ ୨୫୦୦ରୁ ଅଧିକଙ୍କୁ ମାସ୍କ୍‌ ବାଣ୍ଟିଛନ୍ତି। ଦିନସାରା ହ୍ବିଲ୍‌ ଚେୟାରରେ ବୁଲିବୁଲି ଭିକ ମାଗି ସଂଗ୍ରହ କରିଥିବା ଅର୍ଥକୁ ସେ ସମାଜସେବାରେ ଖର୍ଚ୍ଚ କରିଥାନ୍ତି। ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗରିବ ପିଲାଙ୍କୁ ପାଠପଢ଼ିବା ପାଇଁ ରାଜୁ ଆବଶ୍ୟକ ଟଙ୍କା ପ୍ରଦାନ କରିବା ସହିତ ଇତିମଧ୍ୟରେ ୨୨ ଜଣ ଗରିବ କନ୍ୟାଙ୍କ ବିବାହ କରିସାରିଛନ୍ତି। ସେହିପରି ପ୍ରତି ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ମହିଳା ସଶକ୍ତିକରଣ ଅନ୍ତର୍ଗତ ସେ ମହିଳାଙ୍କୁ ସିଲାଇ ମେସିନ କିଣି ଯୋଗାଇ ଦେଇଥାନ୍ତି। ସେ ଶୀତଦିନେ ଗରିବଙ୍କୁ କମ୍ବଳ ମଧ୍ୟ ବାଣ୍ଟିଥାନ୍ତି।

Share