Categories: ଜାତୀୟ

ଭିକାରୀଙ୍କ ମୃତ୍ୟୁ ପରେ କୁଡିଆ ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ମୁମ୍ବାଇ,୭।୧୦: ମୁମ୍ବାଇର ଗୋଓ୍ବଣ୍ଡି ରେଲଓ୍ବେ ଷ୍ଟେଶନରେ ଲୋକାଲ ଟ୍ରେନର ଧକ୍କାରେ ଜଣେ ଭିକାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ରେଲଓ୍ବେ ପୋଲିସ(ଜିଆରପି) ଓ ସମ୍ପର୍କୀୟ କୁଡିଆ ଘରକୁ ଯାଇ ଦେଖିବା ବେଳେ ସେମାନଙ୍କର ହୋସ୍‌ ଉଡିଯାଇଥିଲା। ସୂଚନାଯୋଗ୍ୟ, ବିରଭିଚନ୍ଦ ଆଜାଦ ନାମକ ଜଣେ ଭିକାରୀ ମୁମ୍ବାଇ ଲୋକାଲ ଟ୍ରେନରେ ଭିକ ମାଗିଥାନ୍ତି। ଶୁକ୍ରବାର ରେଲଓ୍ବେ ଟ୍ରାକ୍‌ ପାର ହେଉଥିବା ବେଳେ ଟ୍ରେନର ଧକ୍କାରୁ ତାଙ୍କର ମୃତ୍ୟୁ ହୋଇଛି। ଏହାପରେ ଜିଆରପି ପୋଲିସ ବିରଭିଚନ୍ଦଙ୍କ କୁଡିଆ ଘରକୁ ଯାଇ ଖାନତଲାସି କରିଥିଲା। ତାଙ୍କ ଘରୁ ଏକ ବସ୍ତାରୁ ୨ଲକ୍ଷ ଟଙ୍କାର ଖୁଚୁରା ଓ କିଛି ନୋଟ ମିଳିଛି। ଏହାକୁ ଗଣିବା ପାଇଁ ପୋଲିସକୁ ପ୍ରାୟ ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ଏଥିସହ ଘରୁ କିଛି ବ୍ୟାଙ୍କର ପାସବୁକ୍‌, ଆଧାର କାର୍ଡ, ପାନ କାର୍ଡ ଓ ସିନିୟର ସିଟିଜେନ କାର୍ଡ ମଧ୍ୟ ଜବତ କରାଯାଇଛି। ସେହିପରି ୮ଲକ୍ଷ ୭୭ ହଜାର ଟଙ୍କାର ଜମା ରଶିଦ ମଧ୍ୟ ମିଳିଛି। ଅନ୍ୟପଟେ ଏହି ସବୁ ଟଙ୍କାକୁ ପୋଲିସ ନିଜ ପାଖରେ ରଖିଥିବା ବେଳେ ପରିଚୟ ପତ୍ରରୁ ମିଳିଥିବା ଠିକଣାକୁ ଆଧାର କରି ମୃତ ଭିକାରୀଙ୍କ ପରିବାରକୁ ଖୋଜୁଛି।

Share